Farmer Protest 100 days : 'ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଘର୍ଷ କରିବି' : ରାକେଶ
'କୃଷକ ଆନ୍ଦୋଳନର 100 ଦିନ । ସମାଧାନ ହେବା ଯାଏଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୃଷକମାନେ ସଂଘର୍ଷ କରିବେ । ଲଢିବେ, ଜିତିବେ ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଶହେ ଦିନରେ ପହଞ୍ଚିଛି । ଏହି ଅବସରରେ ଶନିବାର ଦିନ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସୱେକୁ ଅବରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଶନିବାର ଦିନ ସକାଳ 11 ଟାରୁ 4 ଟା ପର୍ଯ୍ୟନ୍ତ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସୱେକୁ ଅବରୋଧ କରିବେ ବୋଲି କୃଷକ ସଂଗଠନ ପୂର୍ବରୁ ଘୋଷଣା କରିଥିଲ । ଯେପର୍ଯ୍ୟନ୍ତ ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି । ଏଥି ସହ ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ତଥା ଗାଜିପୁର ସୀମାରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ୍ ମଧ୍ୟ ଏହି ଆନ୍ଦୋଳନ ଜାରି ରଖିବାକୁ ଟ୍ୱିଟ କରିଛନ୍ତି ।

ରାକେଶ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'କୃଷକ ଆନ୍ଦୋଳନର 100 ଦିନ । ସମାଧାନ ହେବା ଯାଏଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୃଷକମାନେ ସଂଘର୍ଷ କରିବେ । ଲଢିବେ, ଜିତିବେ । ସମସ୍ତ କୃଷକ ଭାଇମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି, ଯେଉଁମାନେ ନିଜ ପରିବାର ଅପେକ୍ଷା ଦେଶକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି, ଏବଂ ଚାଷୀଙ୍କୁ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ସହାୟତା କରିଛନ୍ତି ।'
किसान संघर्ष के 100 दिन
— Rakesh Tikait (@RakeshTikaitBKU) March 6, 2021
समाधान तक आखिरी सांस तक संघर्ष करेगे।
लड़ेंगे जीतेंगे#FarmersProtests100Days @AHindinews @PTI_News @ndtvindia @abhisar_sharma @RAVIAZADBKU @news24tvchannel pic.twitter.com/HOWcJYWiOz
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦିଲ୍ଲୀର ଅନେକ ସୀମାରେ କୃଷକ ଆନ୍ଦୋଳନ ଚାଲିଛି, ରାକେଶ ଟିକାୟତ୍ ଗାଜିପୁର ସୀମାରେ ମୋର୍ଚ୍ଚା ସମ୍ଭାଳିଛନ୍ତି । ପଞ୍ଜାବ ଏବଂ ହରିୟାଣାର କୃଷକମାନେ ପ୍ରଥମେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ, କିନ୍ତୁ ପରେ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ, କିନ୍ତୁ ଆଇନଗୁଡିକ ରଦ୍ଦ ହେବ ନାହିଁ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନିକଟରେ ଏକ ବିବୃତ୍ତି ଦେଇଛନ୍ତି ଯେ କୃଷକଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ସରକାର ଏହି ସମସ୍ୟାର ସମାଧାନ ଖୋଜିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ସେ କହିଛନ୍ତି, କୃଷି ଆଇନକୁ ନେଇ କୃଷକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି । ଦେଶର କୃଷକଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସମସ୍ତ ତିନୋଟି କୃଷି ଆଇନ ପ୍ରଣୟନ କରାଯାଇଛି ।












Click it and Unblock the Notifications