ଛୋଟ ରାଜନୈତିକ ଦଳ ଉପରେ ନିର୍ବାଚନ ଆୟୋଗର କାର୍ଯ୍ୟାନୁଷ୍ଠାନ ; ବାଦ୍ ପଡ଼ିଲେ 86 ଦଳ, 253 ନିଷ୍କ୍ରିୟ
ପଞ୍ଜୀକୃତ ଦଳ ତାଲିକାରୁ 86 ଟି ଦଳକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ 253 ଦଳକୁ ନିଷ୍କ୍ରିୟ ଘୋଷଣା କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି
ନୂଆଦିଲ୍ଲୀ : ଛୋଟ ରାଜନୈତିକ ଦଳ ଉପରେ ନିର୍ବାଚନ ଆୟୋଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପଞ୍ଜୀକୃତ ଦଳ ତାଲିକାରୁ 86 ଟି ଦଳକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ 253 ଦଳକୁ ନିଷ୍କ୍ରିୟ ଘୋଷଣା କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଳଗୁଡିକ ବିହାର, ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟର ରହିଛି । ନିର୍ବାଚନ କମିଶନଙ୍କ କହିବାନୁସାରେ, କମିଶନ ଏହି ଦଳଗୁଡ଼ିକୁ ଯାଞ୍ଚ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଛି ।

ଆୟୋଗର ଚିଠିର ନାହିଁ କୌଣସି ଜବାବ
ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ଆୟୋଗର ଚିଠି କିମ୍ବା ବିଜ୍ଞପ୍ତିରେ କୌଣସି ଜବାବ ନ ଦେବାରୁ 253 ଟି ଦଳ ନିଷ୍କ୍ରିୟ ଘୋଷିତ ହୋଇଛନ୍ତି । ଏହା ବ୍ୟତୀତ ଏଗୁଡ଼ିକ 2014, 2019 ଲୋକସଭା ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । ଏହି ତାଲିକାରେ ଅନ୍ତର୍ଭୁକ୍ତ 14 ଟି ଦଳ ତାମିଲନାଡୁର, ଉତ୍ତରପ୍ରଦେଶର 34, ଦିଲ୍ଲୀର 33, ତେଲେଙ୍ଗାନାର 9 ଏବଂ କର୍ଣ୍ଣାଟକର 6 ଟି ଦଳ ରହିଛି । ଏଥି ସହିତ 86 ଟି ଦଳକୁ ତାଲିକାରୁ ବାଦ୍ ଦିଆଯାଇଛି । ମେ 25 ତାରିଖ ପରେ ମୋଟ 537 ଦଳ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ନିୟମ ମାନୁନାହାଁନ୍ତି ଦଳ
ନିର୍ବାଚନ ଆୟୋଗ କହିଛନ୍ତି ଯେ ନିଷ୍କ୍ରିୟ ଘୋଷିତ 253 ଦଳ ବୈଧାନିକ ନିୟମ ପାଳନ କରୁନାହାଁନ୍ତି । ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । ଏଭଳି ପରିସ୍ଥିତିରେ ସେ ନିର୍ବାଚନ ସଙ୍କେତ ଅର୍ଡର 1968 ଅନୁଯାୟୀ ଲାଭ ପାଇବାକୁ ଯୋଗ୍ୟ ହେବେ ନାହିଁ । ସାଧାରଣ ଭାଷାରେ କହିବାକୁ ଗଲେ ଏହି ନିର୍ବାଚନ ପ୍ରତୀକ ଉପରେ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ ।
ଆୟୋଗ ଆହୁରି କହିଛନ୍ତି ଯେ ଏହି ରାଜନୈତିକ ଦଳଗୁଡିକ ପଞ୍ଜୀକରଣ କରନ୍ତି, କିନ୍ତୁ ପ୍ରାର୍ଥୀ ଦେଉ ନାହାଁନ୍ତି । ଏସବୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜନୈତିକ ଦଳର ଭିଡ଼ ବଢାଉଛନ୍ତି, ଫଳରେ ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।












Click it and Unblock the Notifications