ଡାକ୍ତରମାନଙ୍କୁ 1000 କୋଟିର ଉପହାର ଦେଇଥିଲା ଡୋଲୋ -650 କମ୍ପାନୀ, କେନ୍ଦ୍ରରୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ଡୋଲୋ -650 ର ନିର୍ମାତାମାନେ ବିକ୍ରୟ ବୃଦ୍ଧି ପାଇଁ ଦେଶର ଡାକ୍ତରମାନଙ୍କୁ 1000 କୋଟି ମୂଲ୍ୟର ଉପହାର ଦେଇଥିଲେ । ମେଡିକାଲ ସଂସ୍ଥା ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି ।
ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଡାକ୍ତରମାନେ ଜ୍ୱର ପାଇଁ ଅନେକ ରୋଗୀଙ୍କୁ ପାରାସିଟାମୋଲ ଔଷଧ ଡୋଲୋ -650 ଖାଇବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଏହି ଔଷଧର ବିକ୍ରିକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି । ଡୋଲୋ -650 ର ନିର୍ମାତାମାନେ ବିକ୍ରୟ ବୃଦ୍ଧି ପାଇଁ ଦେଶର ଡାକ୍ତରମାନଙ୍କୁ 1000 କୋଟି ମୂଲ୍ୟର ଉପହାର ଦେଇଥିଲେ । ମେଡିକାଲ ସଂସ୍ଥା ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ସହିତ ଜଡିତ ଏକ ପିଆଇଏଲ୍ ଉପରେ ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ମାଗିଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ ଏବଂ ଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ୍ କୁ ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ପାରିଖ୍ ଫେଡେରାଲ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେସେଣ୍ଟେଟିଭ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ହାଜର ହୋଇ କହିଛନ୍ତି, ଡୋଲୋ -650 ମିଗ୍ରା ଟାବଲେଟର ନିର୍ମାତାମାନେ ଏହି ଔଷଧ ପ୍ରେସ୍କ୍ରାଇବ୍ କରିବା ପାଇଁ ଉପହାର ରୂପରେ 1000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।
ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ର ଏକ ରିପୋର୍ଟକୁ ସେ ତାଙ୍କ ସୂଚନାର ଉତ୍ସ ବୋଲି ଦର୍ଶାଇଛନ୍ତି । ଶୁଣାଣି ସମୟରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଡ଼ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ । କରୋନା ମହାମାରୀ ସମୟରେ ଯେତେବେଳେ ମତେ କୋଭିଡ୍ ସଂକ୍ରମଣ ହୋଇଥିଲା, ସେତେବେଳେ ମୋତେ ସମାନ ଟାବଲେଟ୍ ବ୍ୟବହାର କରିବାକୁ କୁହାଯାଇଥିଲା । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ । କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ ନଟରାଜ କହିଛନ୍ତି ଯେ ଏହି ଆଫିଡେଭିଟ୍ ପ୍ରାୟ ପ୍ରସ୍ତୁତ ଏବଂ ଖୁବ ଶୀଘ୍ର ଦାଖଲ କରାଯିବ ।
ସୁପ୍ରିମକୋର୍ଟ ଏହା ପରେ କେନ୍ଦ୍ର ସରକାରଙ୍କୁ 10 ଦିନ ମଧ୍ୟରେ ସେହି ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ କହିଛନ୍ତି । ଫେଡେରାଲ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେସେଣ୍ଟେଟିଭ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (FMSRA) ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲା ଭାରତରେ ବିକ୍ରି ହେଉଥିବା ଔଷଧର ଫର୍ମୁଲା ଏବଂ ମୂଲ୍ୟ ନିୟନ୍ତ୍ରଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।












Click it and Unblock the Notifications