ପଞ୍ଜାବୀ ଅଭିନେତା ଦୀପ ସିନ୍ଧୁ ବିଷୟରେ ସୂଚନା ଦେଲେ 1 ଲକ୍ଷ ଟଙ୍କା ପୁରସ୍କାର
ଦିଲ୍ଲୀ ପୋଲିସ୍ ପଞ୍ଜାବୀ ଅଭିନେତା ତଥା ଅଭିଯୁକ୍ତ ଦୀପ ସିନ୍ଧୁଙ୍କ ବିଷୟରେ କୌଣସି ସୂଚନା ଦେଲେ 1ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ଏଥିସହିତ ହିଂସାରେ ମୁଖ୍ୟ ଥିବା ଅନ୍ୟ ତିନିଜଣଙ୍କ ସମ୍ପର୍କରେ ସୂଚନା ପାଇଁ ମଧ୍ୟ 1ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ହିଂସାର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସ୍ ପଞ୍ଜାବୀ ଅଭିନେତା ତଥା ଅଭିଯୁକ୍ତ ଦୀପ ସିନ୍ଧୁଙ୍କ ବିଷୟରେ କୌଣସି ସୂଚନା ଦେଲେ 1ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ଏଥିସହିତ ହିଂସାରେ ମୁଖ୍ୟ ଥିବା ଅନ୍ୟ ତିନିଜଣଙ୍କ ସମ୍ପର୍କରେ ସୂଚନା ପାଇଁ ମଧ୍ୟ 1ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ୍ ।
ଏହା ସହିତ ଗତ ମଙ୍ଗଳବାର ହିଂସାରେ ଜଡ଼ିତ ଅନ୍ୟ ଚାରି ଜଣ ଅଭିଯୁକ୍ତ ଜଗବୀର ସିଂ, ବୁଟା ସିଂ, ଶୁଖଦେବ ସିଂ ଏବଂ ଇକବାଲ୍ ସିଂ ବିଷୟରେ ସୂଚନା ଦେଲେ 50ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବ ବୋଲି କହିଛି ଦିଲ୍ଲୀ ପୋଲିସ୍ ।

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ମାନଙ୍କ ଦ୍ୱାରା 26 ଜାନୁଆରୀରେ ଅନୁଷ୍ଠିତ ଟ୍ରାକ୍ଚର ରାଲି ସମୟରେ କେତେକ ଆନ୍ଦୋଳନକାରୀ ନିର୍ଦ୍ଦିଷ୍ଟ ରାସ୍ତାରେ ନଯିବା ସହ ବ୍ୟାରିଗେଟ୍ ଭାଙ୍ଗି ଲାଲକିଲ୍ଲା ଭିତର ପ୍ରବେଶ କରିଥିଲେ । ଏଥିସହିତ ଲାଲକିଲ୍ଲା ଉପରେ ଚଢି ସେଠାରେ ଶିଖ୍ ଧାର୍ମିକ ପତାକା ଲଗାଇଥିଲେ ।
ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ସେମାନଙ୍କୁ ପ୍ରତିରୋଘ କରିବା ସହ ହିଂସା ନକରିବାକୁ ଆହ୍ୱାନ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାଳନା କରିଥିଲା ଏବଂ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା ।
ଅନ୍ୟ ପକ୍ଷରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଜାନୁଆରୀ 26 ହିଂସାରେ ଜଡ଼ିତ 12 ଜଣଙ୍କ ଫଟୋ ଜାରି କରି ସେମାନଙ୍କୁ ଖୋଜୁଥିବା ନେଇ ସୂଚନା ଦେଇଛି । ହିଂସାର ଅନେକ ଭିଡିଓକୁ ଦେଖିବା ପରେ ଏବଂ ଫରେନସିକ୍ ଟିମର ତନାଘନା ପରେ ଏହି 12 ଜଣଙ୍କୁ ଚିହ୍ନଟ କରାଯାଇଛି । ଫଟୋରେ ଥିବା ଲୋକମାନେ ବାଡ଼ି ଧରିଥିବାର ଦେଖାଯାଉଛି ଏବଂ ଲାଲକିଲ୍ଲାରେ ହିଂସା ଏବଂ ପୋଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣରେ ସେମାନେ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରୁଛି ।
ଦିଲ୍ଲୀ ପୋଲିସ ଏହି ହିଂସାରେ 44 ଟି ମାମଲା ରୁଜୁ କରି ଏପର୍ଯ୍ୟନ୍ତ 122 ଜଣଙ୍କୁ ଗିରଫ କରିଛି । ପୋଲିସ ମାମଲାରେ ଅନେକ କୃଷକ ସଂଘର ନେତାଙ୍କ ନାମ ରହିଛି ।












Click it and Unblock the Notifications