ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲା, ଅମିତ ଆରୋରାଙ୍କୁ ଗିରଫ କଲା ଇଡି
ଦିଲ୍ଲୀ ଅବକାରୀ ନୀତି ମାମଲାରେ ବୁଧବାର (ନଭେମ୍ବର 30) ଇଡି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ତଥା ବଡି ରିଟେଲ ପିଭି ଲିମିଟେଡର ନିର୍ଦ୍ଦେଶକ ଅମିତ ଆରୋରାଙ୍କୁ ଗିରଫ କରିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଆଉ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁଧବାର (ନଭେମ୍ବର 30) ଇଡି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ତଥା ବଡି ରିଟେଲ ପିଭି ଲିମିଟେଡର ନିର୍ଦ୍ଦେଶକ ଅମିତ ଆରୋରାଙ୍କୁ ଗିରଫ କରିଛି ।

ମନି ଲଣ୍ଡରିଂ ଆକ୍ଟ (PMLA) ର ଅପରାଧିକ ବିଭାଗ ଅଧୀନରେ ଅମିତ ଆରୋରାଙ୍କୁ ଗିରଫ କରିଛି ଇଡି । ଏହାପୂର୍ବରୁ, ସିବିଆଇ ନଭେମ୍ବର 25 ରେ ରାଉସ୍ ଆଭେନ୍ୟୁ କୋର୍ଟରେ ଆଉ 7 ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଖବର ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ଦୀନେଶ ଆରୋରା ସିବିଆଇ ପାଇଁ ସରକାରୀ ସାକ୍ଷୀ ହୋଇଛନ୍ତି ।
ଅରୋରା ନିଜେ କୋର୍ଟରେ କହିଛନ୍ତି ଯେ ମୋ ତରଫରୁ ଓକିଲ 1 ନଭେମ୍ବର 2022 ରେ ଆବେଦନ ଦିଆଯାଇଛି । ମୁଁ ସ୍ବେଚ୍ଛାକୃତ ଭାବରେ ସରକାରୀ ସାକ୍ଷୀ ହେବାକୁ ଇଚ୍ଛୁକ । ଏହି ମାମଲା ସହ ଜଡିତ ସମସ୍ତ ତଥ୍ୟ ମୁଁ କୋର୍ଟରେ ରଖିବି ।
ଦାବି ହେଉଛି ଯେ ଅମିତ ଆରୋରା, ଅନ୍ୟ ଦୁଇ ଅଭିଯୁକ୍ତ ଦୀନେଶ ଆରୋରା ଏବଂ ଅର୍ଜୁନ ପାଣ୍ଡେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ । ସେ ହିଁ ମଦ ଲାଇସେନ୍ସଧାରୀଙ୍କଠାରୁ ମିଳିଥିବା ଟଙ୍କା ଲୁଚାଇ ରଖିଥିଲେ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏପର୍ଯ୍ୟନ୍ତ ମୋଟ 5 ଜଣଙ୍କୁ ଇଡି ଗିରଫ କରିଛି । ପଚରାଉଚରା ପରେ ସେପ୍ଟେମ୍ବର 27 ରେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଇଡି ଗିରଫ କରିଥିଲା । ଆର୍ଥିକ ଅନୁସନ୍ଧାନ ଏଜେନ୍ସି ଏପର୍ଯ୍ୟନ୍ତ 169 ଟି ସର୍ଚ୍ଚ ଅପରେସନ୍ ଚଳାଇଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସୁପାରିଶ କ୍ରମେ ସିବିଆଇ ଏଫଆଇଆର ଦାଖଲ କରିଥିଲା ।












Click it and Unblock the Notifications