ତିନିଶହ ତଳକୁ ଖସିଲା କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 294 ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 294 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 482 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ କିଛି ଦିନ ବୃଦ୍ଧି ହେବା ପରେ ଗତକାଲି ଆଖିଦୃଶିଆ ହ୍ରାସ ହୋଇଛି । ଗତ କିଛି ଦିନ ଧରି ଦୈନିକ ମାମଲା 5 ଶହ ପାଖାପାଖି ରହୁଥିବା ବେଳେ ଗତ କାଲି 3 ଶହ ତଳେ ରହିଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 294 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 482 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 6 ହଜାର 209 କରୋନା ସକ୍ରିୟ ରୋଗୀ ଅଛନ୍ତି । ଅପରପକ୍ଷରେ ଗତକାଲି କରୋନା କାରଣରୁ 5 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 69 ହଜାର 715 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 41 ଲକ୍ଷ 32 ହଜାର 915 ରେ ପହଞ୍ଚିଛି । ଏପରିକି ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 591 ହୋଇଛି ।
କରୋନା ବିରୋଧରେ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 219 କୋଟି 87 ଲକ୍ଷ 12 ହଜାର 952 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି ମାତ୍ର 74 ହଜାର 386 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications