ନରମୁନି ବିରୋଧୀ, ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ସମସ୍ତ ବିରୋଧୀ ଏକଜୁଟ୍ ହୋଇଛନ୍ତି । କଂଗ୍ରେସ ଘନ ଘନ ବୈଠକ ଡାକି ରଣନୀତି ପ୍ରସ୍ତୁତ କରୁଛି । ଗତ କିଛି ଦିନ ମଧ୍ୟରେ ଅନ୍ୟ ଦଳ ସହ ଭେଟେରାନ କଂଗ୍ରେସ ନେତାଙ୍କ ବୈଠକ ପରେ ଏକ ଏଜେଣ୍ଡା ସ୍ଥିର ହୋଇଛି । ଅନ୍ୟ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଏବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି ।
ମଙ୍ଗଳବାର ଦିନ ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଟିଏମସି, ଏନସିପି ସମେତ ଅନ୍ୟାନ୍ୟ ଦଳର ପ୍ରମୁଖ ନେତାମାନେ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ଭେଟେରାନ ଉପସ୍ଥିତ ଥିଲେ । ଉଭୟ ଗୃହରେ ବିରୋଧୀଙ୍କ ରଣନୀତି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ଏହା ସହିତ ରାହୁଲଙ୍କ ଅଯୋଗ୍ୟତା ପ୍ରସଙ୍ଗସ, ଆଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ ପାଇଁ ଜେପିସି ଗଠନକୁ ନେଇ ଦାବି କରିବା ଉପରେ ଆଲୋଚନା କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳ ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । କଂଗ୍ରେସ ସାଂସଦଙ୍କ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା, କଂଗ୍ରେସ ଅନ୍ୟ ବିରୋଧୀ ଦଳ ସହ ଏ ସମ୍ପର୍କରେ କଥାବାର୍ତ୍ତା କରୁଛି ।












Click it and Unblock the Notifications