ଭାରତ ବନ୍ଦ ସମୟରେ ଆଇନ ଶୃଙ୍ଖଳା ଶାନ୍ତି ରକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ସହ କିପରି ଶାନ୍ତି ବଜାୟ ରହିବ ସେଥି ପ୍ରତି ଧ୍ୟାନ ଦେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି | ଏଥି ସହିତ କରୋନା କଟକଣା ଯେପରି ବ୍ୟାହତ ନହୁଏ ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି |
ନୂଆଦିଲ୍ଲୀ : ଡିସେମ୍ବର 8ରେ କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଥିବା 'ଭାରତ ବନ୍ଦ' ସମୟରେ ଆଇନ ସୁରକ୍ଷା ଶାନ୍ତି ରକ୍ଷା କରିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି | ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ସହ କିପରି ଶାନ୍ତି ବଜାୟ ରହିବ ସେଥି ପ୍ରତି ଧ୍ୟାନ ଦେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି | ଏଥି ସହିତ କରୋନା କଟକଣା ଯେପରି ବ୍ୟାହତ ନହୁଏ ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି | କରୋନା କଟକଣାର ସମସ୍ତ ନିୟମକୁ ମାନି ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ ରାଜ୍ୟସରକାରମାନେ ପଦକ୍ଷେପ ନେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି | ବନ୍ଦ ପାଳନ ସମୟରେ କୌଣସି ଅଘଟଣ ନଘଟିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି |

ସାଧାରଣ ଲୋକ ଯେପରି ହଇରାଣ ନହେବେ ସେଥିପ୍ରତି ଧ୍ୟାନ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ହେବ ବୋଲି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକେଟ କହିଛନ୍ତି | ସାଧାରଣ ଲୋକଙ୍କ ହିତସାଧନ ନେଇ କାଲି 11 ଟାରୁ 3ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ | ଆମ୍ବୁଲାନ୍ସ ଓ ବିବାହ କାର୍ଯ୍ୟରେ କୌଣସି ବାଧା ହେବ ନାହି ବୋଲି ମଧ୍ୟ ମୁଖପାତ୍ର କହିଛନ୍ତି |
ସୂଚନାଯୋଗ୍ୟ, ଆସନ୍ତାକାଲି ଦେଶର 40ଟି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ଶନିବାର କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି |
କୃଷକମାନଙ୍କ ପକ୍ଷରୁ ଆହ୍ୱାନ କରାଯାଇଥିବା 'ଭାରତ ବନ୍ଦ' ଡ଼ାକରାକୁ କଂଗ୍ରେସ, ଏନସିପି, ଡିଏମକେ, ଏସପି, ଟିଆରଏସ ଏବଂ ବାମ ଦଳ ଭଳି ବଡ଼ ଦଳ ଦ୍ୱାରା ସମର୍ଥନ କରାଯାଇଛି | ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ପଞ୍ଜାବ ଓ ହରିୟାଣାର ହଜାର ହଜାର ଚାଷୀ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି |












Click it and Unblock the Notifications