ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ କହିଲେ ବ୍ରିଜ ଭୂଷଣ ସିଂହ, ‘ସୁପ୍ରିମକୋର୍ଟରେ ଅଛି ମାମଲା, କୋର୍ଟ ନେବେ ନିଷ୍ପତ୍ତି'

ନୂଆଦିଲ୍ଲୀ : WFI ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧା ମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଏପରିକି ବ୍ରିଜଭୂଷଣଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଧାରଣା ଦେବା ନେଇ ଚେତାବନ ଦେଇଛନ୍ତି କୁସ୍ତିଯୋଦ୍ଧା । ଏହା ପରେ ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଏହି ସମୟରେ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ବ୍ରିଜ ଭୂଷଣ ସିଂହ କହିଛନ୍ତି ଯେ ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ କୋର୍ଟ ନିଷ୍ପତ୍ତି ନେବେ ।
କିଛି ମାସ ପୂର୍ବରୁ ଦେଶର ଗୌରବ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଏବଂ ସାକ୍ଷୀ ମଲିକଙ୍କ ସମେତ ପ୍ରସିଦ୍ଧ କୁସ୍ତି ଖେଳାଳିମାନେ ଏହି ଅଭିଯୋଗ ଆଣିଥିଲେ । ବ୍ରଜ ଭୂଷଣ ସିଂହ ମହିଳା ଖେଳାଳିଙ୍କ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ।
ଏହି ପ୍ରସଙ୍ଗରେ ଦିଲ୍ଲୀ ମହିଳା ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଦିଲ୍ଲୀ ପୋଲିସକୁ ପଚାରିଛନ୍ତି ଯେ ଏପର୍ଯ୍ୟନ୍ତ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାହିଁକି ।
ଏହି ମାମଲାରେ ବିନେଶ ଫୋଗାଟ କହିଛନ୍ତି ଯେ 3 ମାସ ବିତିଗଲାଣି ଏବଂ ଆମକୁ ନ୍ୟାୟ ମିଳିନାହିଁ । ଆମେ ପୁନର୍ବାର ବିରୋଧ କରିବାକୁ ବାଧ୍ୟ ହୋଇଛୁ, ଆମେ ନ୍ୟାୟ ପାଇଁ ବିରୋଧ କରୁଛୁ । ଆମେ ଆଶା କରୁଛୁ ନ୍ୟାୟ ମିଳିବ । ଏହା ଦୁଃଖର ବିଷୟ ଯେ ଏପର୍ଯ୍ୟନ୍ତ FIR ପଞ୍ଜୀକୃତ ହୋଇନାହିଁ ।
ବ୍ରିଜ ଭୂଷଣ ସିଂହ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ଧାଣାରୁ ଓହରିବେ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ କରିଦେଇଛନ୍ତି । ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କହିଛନ୍ତି ଯେ ଦୁଇ ଦିନ ବିତିଗଲାଣି, ତଥାପି ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ । ମୋଟ 7 ଜଣ ମହିଳା ରେସଲର ଅଭିଯୋଗ କରିଛନ୍ତି ।
ଏପରିକି କୁସ୍ତିଯୋଦ୍ଧା ମାନେ ଏ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ପରେ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଆସନ୍ତା 28 ତାରିଖରେ ଶୁଣାଣି କରିବାକୁ କହିଛନ୍ତି ।












Click it and Unblock the Notifications