ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ମିଳିଲା ବୋମା
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରଠାରୁ କିଛି ଦୂରରେ ଏକ ବୋମା ମିଳିଛି । ବୋମା ମିଳିବା ପରେ ବମ୍ ନିରୋଧକ ସ୍କ୍ୱାର୍ଡ ଏବଂ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରଠାରୁ କିଛି ଦୂରରେ ଏକ ବୋମା ମିଳିଛି । ବୋମା ମିଳିବା ପରେ ବମ୍ ନିରୋଧକ ସ୍କ୍ୱାର୍ଡ ଏବଂ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳର ଅଳ୍ପ ଦୂରରେ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ ରହିଛି । ବୋମା ମିଳିବା ପରେ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ଅବହେଳା ବୋଲି ବିବେଚନା କରାଯାଉଛି । ଏହା ନିକଟରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବାସଭବନ ମଧ୍ୟ ଅଛି ।

ସୂଚନାନୁସାରେ, ଚଣ୍ଡିଗଡ଼ର ସେକ୍ଟର 2 ର ରାଜୀନ୍ଦ୍ର ପାର୍କ ନିକଟରେ ଜଣେ ବ୍ୟକ୍ତି ଏହି ବୋମାର ସେଲ୍ ଦେଖିଥିଲେ । ସେ ତୁରନ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଯବାନମାନେ ତୁରନ୍ତ ସେଲ ଚାରିପାଖରେ ବାଲିଭର୍ତ୍ତି ବ୍ୟାଗ ରଖି ବୋମା ନିରୋଧକ ସ୍କ୍ୱାର୍ଡକୁ ସୂଚନା ଦେଇଥିଲେ । ଏହି ମାମଲାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ଏହା ସହିତ ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପୋଲିସ ଅଧିକାରୀମାନେ ମଧ୍ୟ ଏହି ଘଟଣା ବିଷୟରେ ଭାରତୀୟ ସେନାକୁ ସୂଚନା ଦେଇଛନ୍ତି ।
ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଞ୍ଜୀବ କୋହଲି କହିଛନ୍ତି ଯେ ଏଠାରୁ ଅଫୁଟା ବୋମା ଜବତ କରାଯାଇଛି । ପୋଲିସ ଏବଂ ବୋମା ନିରୋଧକ ସ୍କ୍ୱାର୍ଡ ସହାୟତାରେ ଏହାକୁ ସୁରକ୍ଷିତ କରାଯାଇଥିଲା । ସେନାର ଏକ ଦଳକୁ ମଧ୍ୟ ଡକାଯାଇଛି । ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ପୋଲିସ ଟିମ୍ ଘଟଣାର ତଦନ୍ତ କରୁଛି ।
ଅନ୍ୟପକ୍ଷରେ ଭାରତ-ପାକିସ୍ଥାନ ସୀମାର ଅମୃତସର ସେକ୍ଟରରେ ସୋମବାର ଦିନ ଏକ ଡ୍ରୋନ୍ ଜବତ କରାଯାଇଛି । ସୀମା ସୁରକ୍ଷା ବଳର କର୍ମଚାରୀମାନେ ଏହାର ଅନୁସନ୍ଧାନ କରିବା ପରେ ଏଥିରୁ ଏକ ହେରୋଇନ ପ୍ୟାକେଟ ମିଳିଥିଲା । ଏହି ଡ୍ରୋନକୁ ପାକିସ୍ତାନରୁ ପଠାଯାଇଥିଲା । ବର୍ତ୍ତମାନ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।












Click it and Unblock the Notifications