ଭୋପାଳ ଗ୍ୟାସ ଟ୍ରାଜେଡ଼ି ମାମଲା, ଅତିରିକ୍ତ କ୍ଷତିପୂରଣ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ
ସୁପ୍ରିମକୋର୍ଟ ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ୟୁନିଅନ କାର୍ବାଇଡ କମ୍ପାନୀରୁ 7,400 କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ନେଇ କେନ୍ଦ୍ର ସରକାରଙ୍କ କ୍ୟୁରେଟିଭ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଅତିରିକ୍ତ କ୍ଷତିପୂରଣ ଦାବି ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମଙ୍ଗଳବାର (ମାର୍ଚ୍ଚ 14) ସୁପ୍ରିମକୋର୍ଟ ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ୟୁନିଅନ କାର୍ବାଇଡ କମ୍ପାନୀରୁ 7,400 କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ନେଇ କେନ୍ଦ୍ର ସରକାରଙ୍କ କ୍ୟୁରେଟିଭ୍ ଆବେଦନକୁ ଖାରଜ କରିଦେଇଛନ୍ତି ।
ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ୟୁନିୟନ କାର୍ବାଇଡ କର୍ପୋରେସନ ଦ୍ୱାରା 470 ମିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦିଆଯାଇଥିଲା । କିନ୍ତୁ ପୀଡିତମାନେ ଏହି କ୍ଷତିପୂରଣରେ ସନ୍ତୁଷ୍ଟ ନଥିଲେ ତେଣୁ ଅଧିକ କ୍ଷତିପୂରଣ ଦାବିରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
1984 ରେ, ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ୟୁନିଅନ କାର୍ବାଇଡ କର୍ପୋରେସନରୁ 7,844 କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ମାଗିଥିଲେ । କ୍ଷତିପୂରଣ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଡିସେମ୍ବର 2010 ରେ ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ୍ ଆବେଦନ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଜଷ୍ଟିସ କୌଲଙ୍କ ନେତୃତ୍ୱରେ 5 ଜଣିଆ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଭୟ ଏସ. ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ.କେ. ମହେଶ୍ୱର ଏହି ମାମଲାର ଶୁଣାଣି କରୁଛନ୍ତି । ଗତ ଜାନୁଆରୀରେ ମାମଲାର ଶୁଣାଣି ହୋଇଥିଲା । ତେବେ ରାୟକୁ ମାର୍ଚ୍ଚ 14 ଯାଏଁ ସ୍ଥଗିତ ରଖିଥିଲେ କୋର୍ଟ ।
ଶୁଣାଣି ବେଳେ ୟୁନିଅନ କାର୍ବାଇଡ ପକ୍ଷରୁ ଅଧିକ କ୍ଷତିପୂରଣ ଦାବିକୁ ବିରୋଧ କରାଯାଇଥିଲା ଏବଂ 1989 ରେ ହୋଇଥିବା ସେଟେଲମେଣ୍ଟ ଅନୁସାରେ ବର୍ତ୍ତମାନ ଅଧିକ କ୍ଷତିପୂରଣ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା । ପୂର୍ବରୁ 1989 ସେଟେଲମେଣ୍ଟ ଅନୁସାରେ କେନ୍ଦ୍ର ସରକାର ପ୍ରାୟ 715 କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇସାରିଛନ୍ତି । ତେବେ ସେହି ସେଟେଲମେଣ୍ଟରେ ପ୍ରକୃତ ଜନଜୀବନର କ୍ଷତି ଓ ପରିବେଶଗତ କ୍ଷତିକୁ ସଠିକ୍ ଆକଳନ କରାଯାଇ ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର 7 ହଜାର 844 କୋଟି ଟଙ୍କା କ୍ଷତିପୂରଣ ଚାହିଁଛନ୍ତି ବୋଲି ଦର୍ଶାଇଛନ୍ତି ।
ଗତ ଜାନୁଆରୀରେ ମାମଲାର ଶୁଣାଣି ବେଳେ ଦୀର୍ଘ 30 ବର୍ଷ ପରେ କାହିଁକି ଏହି ଅତିରିକ୍ତ କ୍ଷତିପୂରଣ ଦାବି କରାଯାଉଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।
ଆପଣଙ୍କୁ କହି ରଖୁଛୁ 1984 ଡିସେମ୍ବର 2-3 ରେ ଭୋପାଳସ୍ଥିତ ୟୁନିଅନ କାର୍ବାଇଡରୁ ପ୍ରାୟ 40 ଟନ୍ ମିଥାଇଲ ଆଇସୋସିଆନେଟ ଗ୍ୟାସ ଲିକ୍ ହୋଇଥିଲା । ଏହି ଦୁର୍ଘଟଣାରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହା ଦ୍ୱାରା 1 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ।












Click it and Unblock the Notifications