ଉମେଶ ପାଲ ହତ୍ୟା ମାମଲା: ୟୁପି ଜେଲକୁ ସ୍ଥାନାନ୍ତର ନ ହେବା ନେଇ ସୁପ୍ରିମକୋର୍ଟରେ ଗୁହାରି କଲା ଅତିକ୍ ଅହମ୍ମଦ
ଅତିକ୍ ଅହମ୍ମଦ ଗୁଜୁରାଟ ଜେଲରୁ ୟୁପି ଜେଲକୁ ସ୍ଥାନାନ୍ତର ହେବାକୁ ଚାହୁଁନାହିଁ । ଏ ନେଇ ସେ କୋର୍ଟର ଆଶ୍ରୟ ନେଇଛି । ଏଭଳି ପରିସ୍ଥିତିରେ ଜେଲରେ ଥିବା ଅତିକ୍ ଅହମ୍ମଦକୁ ଏନକାଉଣ୍ଟର ଭୟ ଘାରିଛି ବୋଲି କୁହାଯାଉଛି ।

ଗାନ୍ଧୀନଗର: ଉତ୍ତରପ୍ରଦେଶରେ ଉମେଶ ପାଲ ହତ୍ୟା ମାମଲାରେ ୟୁପି ସରକାର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଭଳି ପରିସ୍ଥିତିରେ ମାଫିଆ ଅତିକ୍ ଅହମ୍ମଦ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଅତିକ୍ ଅହମ୍ମଦ ଗୁଜୁରାଟ ଜେଲରୁ ୟୁପି ଜେଲକୁ ସ୍ଥାନାନ୍ତର ହେବାକୁ ଚାହୁଁନାହିଁ । ଏ ନେଇ ସେ କୋର୍ଟର ଆଶ୍ରୟ ନେଇଛି । ଏଭଳି ପରିସ୍ଥିତିରେ ଜେଲରେ ଥିବା ଅତିକ୍ ଅହମ୍ମଦକୁ ଏନକାଉଣ୍ଟର ଭୟ ଘାରିଛି ବୋଲି କୁହାଯାଉଛି । ସେ କୋର୍ଟରେ କହିଛି ଯେ ଉତ୍ତରପ୍ରଦେଶରେ ପଞ୍ଜୀକୃତ ହୋଇଥିବା ମାମଲାର ଶୁଣାଣି ପାଇଁ ଗୁଜୁରାଟରୁ ବାହରକୁ ପଠାଯିବା ଉଚିତ ନୁହେଁ ।
ଉତ୍ତର ପ୍ରଦେଶର ଯୋଗୀ ସରକାର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମାଫିଆ ଅତିକ୍ ଫେକ୍ ଏନକାଉଣ୍ଟରର ଡର ଘାରିଛି । ଏ ନେଇ ପୂର୍ବତନ ସାଂସଦ ଅତିକ୍ ୟୁପି ଜେଲକୁ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛି । ଓକିଲ ଅତିକର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ଅତିକ୍ ଅହମ୍ମଦ କୁ ଅହମ୍ମଦାବାଦର ସାବରମତୀ ଜେଲରେ ରଖାଯାଇଛି । ତାକୁ ଉତ୍ତର ପ୍ରଦେଶ ଅଣାଯିବାବେଳେ କେନ୍ଦ୍ରୀୟ ଫୋର୍ସ ସୁରକ୍ଷା ଦାବି କରାଯାଇଛି । ଏହାପୂର୍ବରୁ ବୁଧବାର ସକାଳେ ପ୍ରୟାଗରାଜରେ ମାଫିଆ ଅତିକ୍ ଅହମ୍ମଦର ନିକଟତମ ବ୍ୟକ୍ତି ଜାଫର ଅହମ୍ମଦଙ୍କ ଘରେ ବୁଲଡୋଜର ଚଲାଯାଇଥିଲା । ଏଠାରୁ ଖଣ୍ଡା, ପିସ୍ତଲ ଏବଂ ରାଇଫଲ ମଧ୍ୟ ମିଳିଛି । ଏହାପୂର୍ବରୁ ଲକ୍ଷ୍ନୌର ୟୁନିଭର୍ସାଲ ଆପାର୍ଟମେଣ୍ଟରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଅନସାରୀର ବାସଭବନରେ ପ୍ରୟାଗରାଜ ପୋଲିସ ଏବଂ ଏସଟିଏଫ କର୍ମଚାରୀମାନେ ଚଢାଉ କରିଥିଲେ । ଦୁଇଟି କାର ଜବତ କରାଯାଇଛି ଏବଂ ଫ୍ଲାଟକୁ ସିଲ୍ କରାଯାଇଛି ।
ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷାକର୍ମୀ ସନ୍ଦୀପ ନିଷାଦଙ୍କୁ ଗତ ସପ୍ତାହରେ ପ୍ରୟାଗରାଜର ଧୁମନଙ୍ଗଜ ଅଞ୍ଚଳରେ ଗୁଳି ହତ୍ୟା କରାଯାଇଥିଲା । ଏହାପରେ ୟୁପି ପୋଲିସ ଓ ପ୍ରଶାସନ ଆକ୍ସନ ମୋଡକୁ ଆସିଯାଇଛନ୍ତି । ମାମଲା ସହ ସମ୍ବନ୍ଧିତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଉମେଶ ପାଲ 2005 ରେ ପ୍ରୟାଗରାଜରେ ହୋଇଥିବା ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀ ଥିଲେ । ଏହି ମାମଲାରେ ଅତିକ ଅହମ୍ମଦ ମୁଖ୍ୟ ଅଭିଯୁକ୍ତ ରହିଛି ।












Click it and Unblock the Notifications