100 କୋଟି ସଂଗ୍ରହ ଓ ସଚିନ ବାଜେଙ୍କ ସହ ସମ୍ପର୍କ ବିଷୟରେ ଅନିଲ ଦେଶମୁଖଙ୍କ ମନ୍ତବ୍ୟ : ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଲଗାଇଥିବା 100 କୋଟିର ଚାନ୍ଦା ଆଦାୟ ଏବଂ ଆଣ୍ଟିଲିଆ ମାମଲା ସହ ଜଡ଼ିତ ଗିରଫ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି ।
ମୁମ୍ବାଇ : ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଲଗାଇଥିବା 100 କୋଟିର ଚାନ୍ଦା ଆଦାୟ ଏବଂ ଆଣ୍ଟିଲିଆ ମାମଲା ସହ ଜଡ଼ିତ ଗିରଫ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି । ଏହି ମାମଲାରେ ଏକ ଭିଡିଓକୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଅନିଲ ଦେଶମୁଖ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି। ତାଙ୍କ ବିଷୟରେ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି ବୋଲି ଅନିଲ ଦେଶମୁଖ କହିଛନ୍ତି । ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ନେତା ଅନିଲ ଦେଶମୁଖ ଭିଡିଓରେ ସ୍ୱୀକାର କରିଛନ୍ତି ଯେ, କରୋନା ସଂକ୍ରମିତ ହେତୁ ସେ 5 ଫେବୃଆରୀ ରୁ 15 ଫେବୃଆରୀ 2021 ପର୍ଯ୍ୟନ୍ତ ହସ୍ପିଟାଲରେ ଥିଲେ ଏବଂ 15 ଫେବୃଆରୀରେ ଚାର୍ଟର ବିମାନ ଯୋଗେ ମୁମ୍ବାଇ ଯାଇଥିବା କଥା କହିଛନ୍ତି । ଅନ୍ୟପକ୍ଷରେ ଏନସିପି ମୁଖ୍ୟ ଶରଦ ପାୱାର ସୋମବାର (22 ମାର୍ଚ୍ଚ) ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ ଅନିଲ ଦେଶମୁଖ 15 ଫେବୃଆରୀରେ ଡାକ୍ତରଖାନାରେ ଥିଲେ ।

ଅନିଲ ଦେଶମୁଖ ତାଙ୍କ ଭିଡିଓରେ କହିଛନ୍ତି, "ଗତ କିଛି ଦିନ ହେବ ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆରେ ମୋ ବିଷୟରେ ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି । ଆପଣ ସମସ୍ତେ ଜାଣନ୍ତି ଯେ କରୋନା ଭୂତାଣୁ ପରିସ୍ଥିତିରେ ଶେଷ ଏକ ବର୍ଷ ମଧ୍ୟରେ ମୁଁ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲି । ଫେବୃଆରୀ 5 ରେ କରୋନା ସଂକ୍ରମିତ ହେବା ପରେ ମୋତେ ଫେବୃଆରୀ 15 ପର୍ଯ୍ୟନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫେବୃଆରୀ 15 ରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଡାକ୍ତର ମୋତେ 10 ଦିନ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ପ୍ରାଇଭେଟ୍ ବିମାନ ଯୋଗେ ଫେବୃଆରୀ 15 ରେ ମୁମ୍ବାଇ ପହଞ୍ଚିଥିଲି । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ପ୍ରତ୍ୟେକ ଦିନ ରାତିରେ ପାର୍କରେ ପ୍ରାଣୟାମ (ଯୋଗ) କରିବାକୁ ଯାଉଥିଲି । ନାଗପୁର ହସ୍ପିଟାଲର ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲି । ଯେବେ ମୁଁ ହୋମ୍ କ୍ୱାରେଣ୍ଟିନରେ ଥିଲି , ସେ ସମୟରେ ଘରେ ମଧ୍ୟ ଅନେକ ବୈଠକ ହୋଇଛି । ମାର୍ଚ୍ଚ 1 ରେ ବଜେଟ୍ ଅଧିବେଶନ ପୂର୍ବରୁ ବ୍ରିଫିଂ ପାଇଁ କିଛି ଅଧିକାରୀ ମୋ ଘରକୁ ଆସିଥିଲେ ।''
— ANIL DESHMUKH (@AnilDeshmukhNCP) March 23, 2021
ଦେଶମୁଖ ଆହୁରି ମଧ୍ୟ କହିଛନ୍ତି, "ମୁଁ ସରକାରୀ କାର୍ଯ୍ୟ ପାଇଁ ଫେବୃଆରୀ 28 ରେ ପ୍ରଥମ ଥର ପାଇଁ ମୋ ଘରୁ ବାହାରିଥିଲି । ମୁଁ ଏହି ଭିଡିଓ ସେୟାର କରୁଛି ଯାହା ଫଳରେ ମୋ ବିରୁଦ୍ଧରେ ପ୍ରଚାର ହେଉଥିବା ମିଥ୍ୟାର ସତ୍ୟତା ପ୍ରକାଶ ପାଇବ।"
ଅନିଲ ଦେଶମୁଖଙ୍କ ଉପରେ ପରମବୀର ସିଂଙ୍କ ଅଭିଯୋଗ
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ କରିଛନ୍ତି । ପରମବୀର ଦାବି କରିଛନ୍ତି ଯେ, ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ପ୍ରତି ମାସରେ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଅନିଲ ଦେଶମୁଖ ଟାର୍ଗେଟ ଦେଇଥିଲେ । ପରମବୀରଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ନିକଟରେ ହୋମଗାର୍ଡକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସିଂଙ୍କ ଅଭିଯୋଗ ଉପରେ ଅନିଲ ଦେଶମୁଖ କହିଥିଲେ ଯେ ଏହା କେବଳ ରାଜ୍ୟ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ।












Click it and Unblock the Notifications