Farmers protest: କୃଷକ ଆନ୍ଦୋଳନ ସମୟରେ ସିଙ୍ଗୁ ସୀମାରେ ଗୁଳିମାଡ଼
କୃଷକ ଆନ୍ଦୋଳନର ଧାରଣା ସ୍ଥଳରେ ଗୁଳିମାଡ଼ । ରବିବାର ରାତିରେ ସିଙ୍ଗୁ ସୀମାରେ ଆନ୍ଦୋଳନସ୍ଥଳ ନିକଟରେ ଅଜଣା ବ୍ୟକ୍ତି ଫାଙ୍କା ଗୁଳି ଚଲାଇଥିବାର ଖବର ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନର ଧାରଣା ସ୍ଥଳରେ ଗୁଳିମାଡ଼ । ରବିବାର ରାତିରେ ସିଙ୍ଗୁ ସୀମାରେ ଆନ୍ଦୋଳନସ୍ଥଳ ନିକଟରେ ଅଜଣା ବ୍ୟକ୍ତି ଫାଙ୍କା ଗୁଳି ଚଲାଇଥିବାର ଖବର ସାମ୍ନାକୁ ଆସିଛି । ଏହି ସ୍ଥାନରେ 100 ଦିନରୁ ଅଧିକ ଦିନ ଧରି କୃଷକ ମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଧାରଣାରେ ବସିଛନ୍ତି । ଆନ୍ଦୋଳନରତ ଚାଷୀଙ୍କୁ ଲଙ୍ଗରରେ ଖାଦ୍ୟ ବଣ୍ଟାଯାଉଥିବା ସମୟରେ ଗୁଳି ଚଲାଇବାର ଶବ୍ଦ ହୋଇଥିଲା ।

ଏହି ଘଟଣା ଘଟାଇଥିବା ବ୍ୟକ୍ତି ପଞ୍ଜାବର ବୋଲି ପୋଲିସ୍ ସନ୍ଦେହ କରୁଛି । କାରଣ ସେମାନେ ଯେଉଁ ଗାଡ଼ିର ବ୍ୟବହାର କରିଥିଲେ ସେଥିରେ ପଞ୍ଜାବର ନମ୍ବର ପ୍ଲେଟ୍ ଥିବା ପୋଲିସ୍ କହିଛି । ଘଟଣାର କିଛି ସମୟ ପରେ ହରିୟାଣାର କୁଣ୍ଡଳୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ, ଗତ ବର୍ଷ 25 ନଭେମ୍ବରରୁ ସିଙ୍ଗୁ ସୀମାରେ କୃଷକମାନେ କୃଷି ନିୟମକୁ ବିରୋଧ କରିଆସୁଛନ୍ତି ।
ଆନ୍ଦୋଳନରେ ବସିଥିବା କୃଷକମାନଙ୍କ ମଧ୍ୟରୁ ଅଧିକାଂଶ ହରିୟାଣା ଏବଂ ପଞ୍ଜାବର । କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ତିନୋଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବାକୁ କୃଷକମାନେ ଦାବି କରିଛନ୍ତି । ଏହି ତିନୋଟି କୃଷି ଆଇନ କାର୍ଯ୍ୟକାରୀ ହେଲେ ଏମଏସପି ଶେଷ ହୋଇଯିବ ଏବଂ ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବ ବୋଲି କୃଷକ ମାନେ କହୁଛନ୍ତି । ଏଥି ସହିତ ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟିତ୍ ରବିବାର କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ମାର୍ଚ୍ଚ 13 ରେ ସେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ ରାଜ୍ୟକୁ ଯାଇ ସେଠାରେ ଥିବା ଚାଷୀଙ୍କୁ ଭେଟିବାକୁ ମଧ୍ୟ କହିଛନ୍ତି ।












Click it and Unblock the Notifications