ବିହାର : ଗଙ୍ଗାରୁ ଉଦ୍ଧାର ହେଲା 71 ଟି ମୃତଦେହ, କୋଭିଡ ନମୁନା ନେଇ ହେଲା ଶବଦାହ
ବିହାରର ବକ୍ସର ଜିଲ୍ଲାର ଗଙ୍ଗା ନଦୀରୁ 71 ଟି ମୃତ ଦେହକୁ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ସମସ୍ତ ମୃତଦେହକୁ ପୋଡି ଦିଆଯାଇଛି ।
ପାଟନା : ବିହାରର ବକ୍ସର ଜିଲ୍ଲାର ଗଙ୍ଗା ନଦୀରୁ 71 ଟି ମୃତ ଦେହକୁ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ସମସ୍ତ ମୃତଦେହକୁ ପୋଡି ଦିଆଯାଇଛି । ସୋମବାର ଦିନ, ବକ୍ସର ଜିଲ୍ଲାର ଚୌସା ବ୍ଲକର ମହାଦେବ ଘାଟ ନିକଟରେ ଲୋକମାନେ କରୋନା ସଂକ୍ରମିତ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତ ଦେହ ଗୁଡ଼ିକ ପଚିଯିବା ସହ କୂଳରେ ଲାଗିଥଲା । ଏହା ପରେ ଜିଲ୍ଲା ପ୍ରଶାସନ ସେଠାରୁ ମୃତଦେହ ବାହାର କରିବା କାର୍ଯ୍ୟ ଆରମ୍ଭ କରିଥିଲା । ମୃତ ଦେହ ଗୁଡ଼ିକର କୋଭିଡ୍ ନମୁନା ମଧ୍ୟ ନିଆଯାଇଛି । ଏହି କ୍ଷେତ୍ର ପୂର୍ବ ଉତ୍ତରପ୍ରଦେଶ ସହିତ ସଂଯୁକ୍ତ ଥିବାରୁ ମୃତଦେହ ଉତ୍ତରପ୍ରଦେଶ ପଟୁ ଆସିଛି ବୋଲି ପ୍ରଶାସନ କହିଛି । କିନ୍ତୁ ଉତ୍ତରପ୍ରଦେଶ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

ବକ୍ସର ପୋଲିସ ଅଧୀକ୍ଷକ ନୀରଜ କୁମାର ସିଂ କହିଛନ୍ତି ଯେ, ଆମେ 71 ଟି ଶବକୁ ଉଦ୍ଧାର କରିଛୁ । ଏଥିମଧ୍ୟରୁ କିଛି ପୋଡି ଦିଆଯାଇଛି, ବାକି ସବୁ ବ୍ୟବସ୍ଥା କରାଯାଉଛି । ପରୀକ୍ଷା ପାଇଁ ମୃତ ଦେହର ନମୁନା ସଂଗ୍ରହ କରାଯାଇଛି । ଶବ ଗୁଡ଼ିକ ପଚି ଯାଇଥିବାରୁ ସେଗୁଡ଼ିକର ପୋଷ୍ଟ ମର୍ଟମ୍ ସେହି ଘାଟରେ ହିଁ କରାଯାଇଥିଲା ବୋଲି ସେ କହିଛନ୍ତି ।
ଘାଟରେ ଅନ୍ତିମ ସଂସ୍କାର ପାଇଁ କାଠ ବିକ୍ରୟ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ମୃତଦେହକୁ ନଦୀ କୂଳରେ ଜେସିବି ମେସିନରେ ଗାତ ଖୋଳି ପୋତି ଦିଆଯାଇଛି । କୁହାଯାଇଛି ଯେ ବର୍ତ୍ତମାନ କୌଣସି ମୃତଦେହ ନଦୀରେ ଭାସୁଥିବା ଦେଖାଯାଉ ନାହିଁ । ମୃତଦେହ ସମ୍ପର୍କରେ ପ୍ରଶାସନ ଏବଂ ସ୍ଥାନୀୟ ଲୋକମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ଏହି ମୃତଦେହ ଭାସୁଥିବା ଦେଖିବାକୁ ମିଳିବା ପରେ ବିହାର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ବିରୋଧୀ କାଠ ଗଡ଼ାରେ ଛିଡ଼ା କରିଛନ୍ତି ।












Click it and Unblock the Notifications