ଡାକ୍ତରଙ୍କ ହରତାଳକୁ କୋର୍ଟ କହିଲେ ବେଆଇନ, 3000 ଡାକ୍ତର ଦେଲେ ସମୂହ ଇସ୍ତଫା
ପ୍ରାୟ 6 ଟି ବିଭିନ୍ନ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ପ୍ରାୟ 3000 ଜୁନିୟର ଡାକ୍ତର ଗୁରୁବାର ସମସ୍ତେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଭୋପାଳ : ମଧ୍ୟପ୍ରଦେଶରେ 3000 ଜୁନିଅର ଡାକ୍ତର ହରତାଳରେ ବସିଥିଲେ । କିନ୍ତୁ ଗୁରୁବାର ମଧ୍ୟପ୍ରଦେଶ ହାଇକୋର୍ଟ ଷ୍ଟ୍ରାଇକ୍ କରୁଥିବା ଡାକ୍ତରମାନଙ୍କୁ 24 ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡାକ୍ତରମାନେ ଧର୍ମଘଟ ବନ୍ଦ କରିବାକୁ ମନା କରି ଦେଇଛନ୍ତି । କେବଳ ଏତିକି ନୁହେଁ ଏହି ସମସ୍ତ ଡାକ୍ତର ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଡାକ୍ତରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଅସୁବିଧା ବଢିଛି । ଡାକ୍ତରଙ୍କ ଧର୍ମଘଟକୁ କୋର୍ଟ ବେଆଇନ ଘୋଷଣା କରିଛନ୍ତି ।.

ସୂଚନାଯୋଗ୍ୟ, ପ୍ରାୟ 6 ଟି ବିଭିନ୍ନ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ପ୍ରାୟ 3000 ଜୁନିୟର ଡାକ୍ତର ଗୁରୁବାର ସମସ୍ତେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘର ସଭାପତି ଡ଼ ଅରବିନ୍ଦ ମୀଣା କହିଛନ୍ତି ଯେ ଡାକ୍ତରମାନେ ସେମାନଙ୍କ ଇସ୍ତଫା ପତ୍ର ନିଜ ନିଜ ମେଡିକାଲ କଲେଜର ଡିନଙ୍କ ନିକଟରେ ଦାଖଲ କରିଛନ୍ତି । ମୀଣା କହିଛନ୍ତି ଯେ, ଏହି ଧର୍ମଘଟ ସୋମବାର ଠାରୁ ଆରମ୍ଭ ହୋଇଛି ଏବଂ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ କାମକୁ ଫେରିବୁ ନାହିଁ ।
ସୂଚନାଯୋଗ୍ୟ, ରାଜ୍ୟର ଜୁନିଅର ଡାକ୍ତରମାନେ ସରକାରଙ୍କ ଆଗରେ ଅନେକ ଦାବି ରଖିଛନ୍ତି । ତାଙ୍କ ଦରମା ବୃଦ୍ଧି ସହିତ ତାଙ୍କ ଷ୍ଟାଇପେଣ୍ଟରେ ବୃଦ୍ଧି କରାଯାଉ ବୋଲି ଡାକ୍ତରମାନେ ଦାବି କରିଛନ୍ତି । ଏହା ସହିତ, ଯଦି କୌଣସି ଡାକ୍ତର କିମ୍ବା ତାଙ୍କ ପରିବାର ସଦସ୍ୟ କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି । ମୀଣା କହିଛନ୍ତି ଯେ ରାଜ୍ୟ ସରକାର ଏହି ଡାକ୍ତରଙ୍କ ତୃତୀୟ ବର୍ଷର ପିଜି ପଞ୍ଜୀକରଣକୁ ବାତିଲ କରିସାରିଛନ୍ତି ଏବଂ ସେମାନେ ପରୀକ୍ଷାରେ ବସି ପାରିବେ ନାହିଁ । ଆମେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରିବୁ ବୋଲି ସେ କହିଛନ୍ତି ।
ଏହି ଧର୍ମଘଟରେ ମେଡିକାଲ ଅଫିସର୍ସ ଆସୋସିଏସନ୍ ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ସଂଘର ଲୋକମାନେ ମଧ୍ୟ ସାମିଲ ହେବେ ବୋଲି ମୀଣା ଦାବି କରିଛନ୍ତି । କେବଳ ଏତିକି ନୁହେଁ ରାଜସ୍ଥାନ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଏମ୍ସ ହୃଷିକେଶର ଡାକ୍ତରମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେବେ । ମୀଣା ଆହୁରି କହିଛନ୍ତି ଯେ, ମେ 6 ରେ ସରକାର ଆମର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହା ପରେ କିଛି ହୋଇ ନଥିଲା, ଯେଉଁଥିପାଇଁ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ । ସରକାର ଏହି ଷ୍ଟାଇପେଣ୍ଟକୁ 24 ପ୍ରତିଶତ ବୃଦ୍ଧି ନ କିରିବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ସେ କହିଛନ୍ତି ।












Click it and Unblock the Notifications