ଉତ୍କୃଷ୍ଟ ଯାଞ୍ଚ ପାଇଁ 151 ଜଣ ପୋଲିସ ପାଇବେ ଗୃହମନ୍ତ୍ରୀ ପଦକ, ଓଡ଼ିଶାରୁ 4 ଜଣ
ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ 151 ପୋଲିସ କର୍ମଚାରୀଙ୍କୁ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ଗୃହମନ୍ତ୍ରୀ ପଦକ ପ୍ରଦାନ କରାଯିବ । ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି ।
ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ 151 ପୋଲିସ କର୍ମଚାରୀଙ୍କୁ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ଗୃହମନ୍ତ୍ରୀ ପଦକ ପ୍ରଦାନ କରାଯିବ । ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଏହି ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସିବିଆଇର 15 ଜଣ, ମହାରାଷ୍ଟ୍ର ପୋଲିସର 11 ଜଣ, ମଧ୍ୟ ପ୍ରଦେଶ ପୋଲିସ ଏବଂ ୟୁପି ପୋଲିସର 10 ଜଣ ଲେଖାଏଁ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପୋଲିସର 8 ଜଣ ଲେଖାଏଁ ଏବଂ ଅନ୍ୟାନ୍ୟ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ୍ କର୍ମୀ ସାମିଲ ଅଛନ୍ତି । ଏଥିମଧ୍ୟରେ 28 ଜଣ ମହିଳା ପୋଲିସ କର୍ମଚାରୀ ଅଛନ୍ତି ।

ସେହପରି ଏହି ତାଲିକାରେ ଓଡ଼ିଶାର ଚାରି ଜଣ ଅଛନ୍ତି । ସେମାନଙ୍କୁ 2021 ରେ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଦିଆଯିବ । ସେମାନେ ହେଲେ ଡିଏସପି ସୁସ୍ମିତା ଜେନା, ଇନସ୍ପେକ୍ଟର ଅଶିଷ ଚନ୍ଦ୍ର ଜେନା, ଅନୁସୂୟା ନାୟକ ଏବଂ ରମେଶ କୁମାର ପ୍ରଧାନ ।
ପ୍ରତିବର୍ଷ ଗୃହ ମନ୍ତ୍ରଣାଳୟ ଅନୁସନ୍ଧାନ ମାମଲାରେ ଭଲ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ଗୃହମନ୍ତ୍ରୀ ପଦକ ପ୍ରଦାନ କରିଥାଏ । ଏଥିପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ ଅନୁସନ୍ଧାନକାରୀ ଏଜେନ୍ସିରୁ ପୋଲିସ କର୍ମୀଙ୍କ ନାମ ସୁପାରିଶ କରିବାକୁ କୁହାଯାଇଥିଲା । ଏହି ପଦକ ପାଇଁ ଅପ୍ରେଲ 30 ସୁଦ୍ଧା ମିଳିଥିବା ନାମ ମଧ୍ୟରୁ 151 ଜଣଙ୍କୁ ଚୟନ କରାଯାଇଛି । ଗତ ବର୍ଷ ମଧ୍ୟ 152 ପୋଲିସ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯାଇଥିଲା ଯେଉଁଥିରେ 28 ଜଣ ମହିଳା ପୋଲିସ କର୍ମଚାରୀ ସାମିଲ ଥିଲେ । ଏହାପୂର୍ବରୁ, 2020 ରେ 121 ପୋଲିସ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯାଇଥିଲା ।
ଯଦିଓ ଆତଙ୍କବାଦୀ, ଅପରାଧୀ ଏବଂ ନକ୍ସଲମାନଙ୍କ ବିରୁଦ୍ଧରେ ସଫଳ ଅପରେସନ୍ ଚଳାଉଥିବା ଅଧିକାରୀ ଏବଂ ଯବାନଙ୍କୁ ପ୍ରତିବର୍ଷ ସମ୍ମାନିତ କରାଯାଏ, କିନ୍ତୁ ଅପରାଧର ଅନୁସନ୍ଧାନ ପରେ ଅପରାଧୀଙ୍କୁ ଦଣ୍ଡ ଦେବାରେ ସହାୟକ ହେଉଥିବା ପୋଲିସ୍ ଅଧିକାରୀ ଏବଂ ଯବାନଙ୍କୁ କୌଣସି ସମ୍ମାନ ମିଳୁ ନଥିଲା । ଏଭଳି ପରିସ୍ଥିତିରେ, 2018 ରେ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ପୁରସ୍କାର ଆରମ୍ଭ କରିଥିଲେ, ଯେଉଁଥିରେ କାର୍ଯ୍ୟରେ ବୃତ୍ତିଗତତା, ସଚ୍ଚୋଟତା ଏବଂ ଅସାଧାରଣ ସାହସ ପ୍ରଦର୍ଶନ କରିଥିବା ପୋଲିସ୍ ସମ୍ମାନିତ ହୋଇଥାନ୍ତି ।












Click it and Unblock the Notifications