ପୋଲିଓ ବଦଳରେ ପିଲାଙ୍କୁ ଦେଲେ ସାନିଟାଇଜର, ନିଲମ୍ବିତ ହେଲେ 3 ନର୍ସ
ପୋଲିଓ ବଦଳରେ ପିଲାଙ୍କୁ ଦେଲେ ସାନିଟାଇଜର । 12ଜଣ ପିଲାଙ୍କୁ ପୋଲିଓ ବଦଳରେ ସାନିଟାଇଜର ଦେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ୟାଭାଟମାଲ(ମୁମ୍ବାଇ) : ପୋଲିଓ ବଦଳରେ ପିଲାଙ୍କୁ ଦେଲେ ସାନିଟାଇଜର । 12ଜଣ ପିଲାଙ୍କୁ ପୋଲିଓ ବଦଳରେ ସାନିଟାଇଜର ଦେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରବିବାର 1ରୁ 5ବର୍ଷର ପିଲାଙ୍କୁ ପୋଲିଓ ଟୀକାକରଣ ସମୟରେ ଏପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଥିଲା । ସାନିଟାଇଜର ଦିଆଯାଇଥିବା ପିଲାଙ୍କର ବାନ୍ତି ହେବା ପରେ ସେମାନଙ୍କୁ ବସନ୍ତରାଓ ନାୟକ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମହାରାଷ୍ଟ୍ରର ୟାଭାଟମାଲ ଜିଲ୍ଲାର କାପସି-କୋପରି ଗ୍ରାମର ଘାଟଗଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଘଟଣା ହୋଇଥିବା ନେଇ ସୋମବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅବହେଳା ପାଇଁ କାର୍ଯ୍ୟରତ ତିନିଜଣ ନର୍ସଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି । ବର୍ତ୍ତମାନ ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବା ସହ ସ୍ଥିର ରହିଛି । ସେମାନଙ୍କ ଉପରେ ନଜର ରଖାଯିବା ସହ ସେମାନଙ୍କର ଚିକିତ୍ସା ଜାରି ରହିଛି । ସେମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଜିସଚାର୍ଜ କରିବା ନେଇ ବିଚାର କରାଯାଉଛି ବୋଲି ବସନ୍ତରାଓ ନାୟକ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ଡିନ୍ ଡ଼ ମିଲିନ୍ଦ କାମ୍ବଲେ କହିଛନ୍ତି ।
ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ଡିନ୍ କାମ୍ବଲେ କହିଛନ୍ତି , ସାନିଟାଇଜର ବୁନ୍ଦା ପିଇବା ଏତେଟା ସାଂଘାତିକ ନୁହେଁ, ଯେହେତୁ ଏଥିରେ 70 ପ୍ରତିଶତ ଆଲକୋହଲ ରହିଛି ଏହା ସ୍ୱସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ବେଶି ପ୍ରଭାବ ପକାଇପାରେ ବୋଲି କହିଛନ୍ତି ।
ଏହି ଘଟଣା ପରେ ୟାଭାଟମାଲ ଜିଲ୍ଲାପାଳ ଏମ ଦେବେନ୍ଦର ସିଂ ରବିବାର ରାତିରେ ଡାକ୍ତରଖାନା ପରିଦର୍ଶନ କରି ପିଲାମାନଙ୍କର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ଜିଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲଙ୍କୁ ଗାଁ ପରିଦର୍ଶନ କରି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତାଙ୍କର ପ୍ରାଥମିକ ଅନୁସନ୍ଧାନ ପରେ ସେହି ସମୟରେ ଡ୍ୟୁଟିରେ ଥିବା ତିନିଜଣ ନର୍ସଙ୍କୁ ନିଲମ୍ବିତ କରାଯାଇଛି ।
ୟାଭାଟମାଲର କୃଷକ ନେତା ତଥା ଭାସନ୍ତ୍ରାଓ ନାୟକ ଶେଠି ସ୍ୱାବଲମ୍ବନ୍ ମିଶନ୍ ସଭାପତି କିଶୋର ତିୱାରୀ ଏହା ଏକ "ସୁଚିନ୍ତିତ କାର୍ଯ୍ୟ " ହୋଇପାରେ ବୋଲି ସନ୍ଦେହ କରୁଛନ୍ତି । ଏଥିସହିତ ମଙ୍ଗଳବାର ପ୍ରଭାବିତ ଗ୍ରାମ ପରିଦର୍ଶନ କରିବାକୁ ଯୋଜନା କରିଛନ୍ତି ।
ସୂଚନାଯୋଗ୍ୟ, ରବିବାର ପୋଲିଓ ଟୀକାକରଣ ପାଇଁ 2ହଜାରରୁ ଅଧିକ ପିଲାଙ୍କୁ ସେମାନଙ୍କ ଅଭିଭାବକ ମାନେ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ।












Click it and Unblock the Notifications