ପୁରାଣ ପୃଷ୍ଠା: ରକ୍ଷା ବନ୍ଧନର କାହାଣୀ
ଭଗବାନ ନାରାୟଣ ବାମନ ଅବତାରରେ ଦାନବ ରାଜ ମହାଦାନୀ ବଳିଙ୍କୁ ତ୍ରିପାଦ ଭୂମି ମାଗିଥିଲେ ଏବଂ ବଳିଙ୍କୁ ସେ ପାତାଳ ଲୋକ ପଠାଇଥିଲେ । ବଳିରାଜା ଭଗବାନ ବାମନଙ୍କୁ ସ୍ବର୍ଗ , ମର୍ତ୍ତ୍ଯ ଦେଲା ପରେ ଅବଶିଷ୍ଟ ଏକପାଦ ଭୂମି ତାଙ୍କ ମସ୍ତକରେ ରଖିବାକୁ କହିଥିଲେ । କଥା ଏହିଠାରୁ ସରିଗଲା ନାହିଁ ।

ବଳି ପାତାଳ ଲୋକର ରାଜା ହେଲେ ସତ , କିନ୍ତୁ ସେ ସେହି ସମୟରେ ନାରାୟଣଙ୍କୁ ପ୍ରାର୍ଥନା କଲେ ଯେ ମୋ ଉପରେ କୃପା କର ପ୍ରଭୁ । ଭଗବାନ ନାରାୟଣ ବଳିରାଜାକୁ ବରମାଗିବାକୁ କହିଲେ । ବଳି କହିଲେ-ପ୍ରଭୁ ଆପଣ ଆଜି ଠାରୁ ମୋ ପାତାଳ ଲୋକରେ ଦ୍ଵାରପାଳ ଭାବରେ ରହି ମୋର ରକ୍ଷା କରନ୍ତୁ । ଭଗବାନ ନାରାୟଣ ସତ୍ଯବଦ୍ଧ, ତେଣୁ ସେ ବଳିକୁ ତଥାସ୍ତୁ କହିଲେ ଏବଂ ଏହାପରେ ପ୍ରଭୁ ଅଳକାପୁର ଛାଡି ପାତାଳ ଲୋକରେ ବଳିର ଦ୍ଵାରପାଳ ହେଲେ । କିଛି ଦିନ ଅନ୍ତେ ମାତା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କୁ ଅଳକାପୁରରେ ନ ପାଇ ଜାଣିବାକୁ ପାଇଲେ ଯେ ଦାନବ ରାଜ ବଳି ଭଗବାନଙ୍କୁ ପାତାଳ ଲୋକରେ ଦ୍ଵାରପାଳ ଭାବରେ ରଖିଛି ।ମାତା ଲକ୍ଷ୍ମୀ ଏହି ପୂର୍ଣ୍ଣିମା ଦିନ ପାତାଳ ଲୋକରେ ପହଞ୍ଚି ବଳିକୁ ନିଜର ଭାଇ ବୋଲି ସମ୍ବୋଧନ କଲେ ଏବଂ ରାକ୍ଷୀ ବାନ୍ଧିଦେଲେ ।

ସହଜେ ତ ରାଜା ବଳି ମହାଦାନୀ ତେଣୁ ସେ ମାତା ଲକ୍ଷ୍ମୀଙ୍କୁ ରାକ୍ଷୀ ବାନ୍ଧିଥିବାରୁ କିଛି ଦେବାକୁ ଚାହିଁଲେ ଏବଂ କହିଲେ: ଭଉଣୀ ତୋର ଯାହା ଇଚ୍ଛା ତାହା ମୋତେ ମାଗିପାରୁ। ମାତା ଲକ୍ଷ୍ମୀ ରାଜା ବଳିକୁ କହିଲେ ମୋର କିଛି ହେଲେ ଲୋଡା ନାହିଁ, ମୋତେ ମୋ ସ୍ବାମୀଙ୍କୁ ଫେରାଇ ଦିଅ। ଏହା ପରେ ରାଜା ବଳି ଭଗବାନ ନାରାୟଣଙ୍କୁ ଅଳକାପୁରକୁ ଫେରାଇ ଦେଇଥିଲେ । ଏହି ଦିନଠାରୁ ଭାଇ ବଳି ଏବଂ ଭଉଣୀ ଲକ୍ଷ୍ମୀଙ୍କର ଏହି ପବିତ୍ର ସମ୍ପର୍କକୁ ନେଇ ରାକ୍ଷୀପୂର୍ଣ୍ଣିମା ପାଳିତ ହୋଇ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଦିନ ରକ୍ଷା ସୁତ୍ର ବା ରାକ୍ଷୀ ବାନ୍ଧିବା ଦ୍ବାରା ନକାରାତ୍ମକତା ଏବଂ ଦୁର୍ଭାଗ୍ୟରୁ ରକ୍ଷା ମିଳେ। ରକ୍ଷା ସୁତ୍ର ବାନ୍ଧି ଥିବା ବ୍ୟକ୍ତିର ବିଚାର ସକାରାତ୍ମକ ହୋଇଥାଏ ଏବଂ ମନ ଶାନ୍ତ ରୁହେ ଏପରି ମାନ୍ୟତା ରହିଛି । ଏହି ରକ୍ଷାସୁତ୍ର ଭଉଣୀ ତା ଭାଇର ହାତରେ ତଥା ଗୁରୁ ତାଙ୍କର ଶିଷ୍ୟ ମାନଙ୍କୁ ବାନ୍ଧି ପାରନ୍ତି । ରକ୍ଷା ବନ୍ଧନ ସମୟରେ ଏହି ମନ୍ତ୍ର ଉଚ୍ଚାରଣ କଲେ ଶୁଭଫଳ ପ୍ରାପ୍ତି ହୁଏ ବିଶ୍ବାସ ରହିଛି ।
"ଓଁ ୟେନ ବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାବଳଃ, ତେନ ତ୍ବାମପି ବନ୍ଧାମି ରକ୍ଷେ ମା ଚଳ ମା ଚଳ ।"
ଏହି ଶ୍ଳୋକର ଅର୍ଥ ହେଲା: ମହାଲକ୍ଷ୍ମୀ ଯେପରି ଅସୁରରାଜ ବଳିଙ୍କୁ ଏକ ସୁତ୍ରରେ ବାନ୍ଧିଥିଲେ, ଠିକ୍ ସେହିପରି ଏ ରକ୍ଷା ବନ୍ଧନର ସୁତ୍ରକୁ ମୁଁ ମୋ ଭାଇର ହାତରେ ବାନ୍ଧୁଛି । ଭଗବାନ ମୋ ଭାଇର ରକ୍ଷା କରନ୍ତୁ ଏବଂ ଆମର ଏହି ପବିତ୍ର ଭାଇ ଭଉଣୀର ସମ୍ପର୍କକୁ ଚିରସ୍ଥାୟୀ ରଖେ।












Click it and Unblock the Notifications