ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଶିଖାଇଥିବା ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକ
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଶେଷ ନିଃଶ୍ୱାସ ତ୍ୟାଗ କଲାବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଓଡିଆ ଲେଖିବା ଓ ପଢିବା ଶିଖାଇଥିଲେ ପ୍ରଫେସର ମିଶ୍ର । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, " ଓଡ଼ିଶା ରିଭ୍ୟୁର ପୂର୍ବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ବିଶେଷ କରି ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। "
ତେବେ ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ସୁସାହିତ୍ୟିକ ଭାବେ ପରିଚିତ ଥିବା ରାଜକିଶୋର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଥିଲେ। ଏହାଛଡ଼ା ସେ 'ଉତ୍କଳ ପ୍ରସଙ୍ଗ' ଓ 'ଓଡ଼ିଶା ରିଭ୍ୟୁ'ର ପୂର୍ବତନ ସଂପାଦକ ମଧ୍ୟ ଥିଲେ। ଓଡିଆ, ଇଂରାଜୀ ଓ ସଂସ୍କୃତ ଭାଷାରେ ସାରସ୍ୱତ ସାଧନାରେ ସେ ନିଜର ସ୍ୱତନ୍ତ୍ର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି।
ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ମହମହୀମ ଟ୍ବିଟ କରି ଲେଖିଛନ୍ତି, ବିଶିଷ୍ଟ ବିଦ୍ୱାନ, ଗବେଷକ,ଅନୁବାଦକ ତଥା ଶିକ୍ଷାବିତ୍ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କ କୃତି ଓ କୀର୍ତ୍ତି ତାଙ୍କୁ ଚିରଦିନ ଅମଳିନ ରଖିବ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି l ଓଁ ଶାନ୍ତି ।












Click it and Unblock the Notifications