ଆଜିଠୁ ପବିତ୍ର ନବରାତ୍ରି: ଜାଣନ୍ତୁ କେଉଁ ଦିନ କେଉଁ ରୂପରେ ପୂଜା ପାଆନ୍ତି ମାଆ ? ସମ୍ପୂର୍ଣ୍ଣ ପୂଜା ବିଧି
ଆଜିଠୁ ନବରାତ୍ରି। ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା'ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା' ଶୈଳପୁତ୍ରୀ ରୂପରେ ।
ଅକ୍ଟୋବରରେ ଶାରଦୀୟ ନବରାତ୍ରୀ, ପବିତ୍ର ଦଶହରା, ପିତୃ ଅମାବାସ୍ୟା ଭଳି ପର୍ବ ପଡୁଛି । ପ୍ରତି ବର୍ଷ ଭଳି ଏଥର ମଧ୍ୟ ନବରାତ୍ରୀ ପୂରାପୂରି ୯ ଦିନ ପାଇଁ ପାଳନ କରାଯିବ। ସ୍ବତନ୍ତ୍ର ରୀତିନୀତିରେ ପାଳିତ ହେବ ନବରାତ୍ରୀ ଏବଂ ମା ଙ୍କ ଦଶହରା ବା ବିଜୟା ଦଶମୀ । ତେବେ ନବରାତ୍ରୀ କେବେ ଓ ଦଶହରା କେବେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ।
ଚଳିତ ବର୍ଷ ସେପ୍ଟେମ୍ବର ୨୨ ତାରିଖରୁ ( ଆଜିଠୁ) ଆରମ୍ଭ ହେବାକୁ ଯାଉଛି ମା ଜଗତଜନନୀଙ୍କ ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରୀରେ କଳସ ସ୍ଥାପନା ପାଇଁ ଶୁଭ ସମୟ ହେଉଛି ସକାଳ ୬ଟା ୦୯ ମିନିଟ୍ରୁ ୦୮ଟା ୦୬ ମିନିଟ୍ ପର୍ଯ୍ୟନ୍ତ । ମୋଟ ୧ ଘଣ୍ଟା ୫୭ ମିନିଟ୍ ଯାଏ ରହୁଛି ଶୁଭ ସମୟ ।
ଶାରଦୀୟ ନବରାତ୍ରିର ଅଷ୍ଟମୀ ୨୯ ସେପ୍ଟେମ୍ବର ସନ୍ଧ୍ୟା ୦୪:୩୧ ରୁ ୩୦ ସେପ୍ଟେମ୍ବର ସନ୍ଧ୍ୟା ୦୬:୦୬ ପର୍ଯ୍ୟନ୍ତ ହେବ। ଅଷ୍ଟମୀ ତିଥିର କନ୍ୟା ପୂଜନ ସେପ୍ଟେମ୍ବର ୩୦ ତାରିଖରେ ହେବ।
ସେହିପରି, ଆଶ୍ୱିନ ଶୁକ୍ଳ ପକ୍ଷ ନବମୀ ତିଥି ସେପ୍ଟେମ୍ବର ୩୦ ତାରିଖ ସନ୍ଧ୍ୟା ୦୬:୦୬ରେ ଆରମ୍ଭ ହେବ ଏବଂ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୦୭:୦୧ରେ ଶେଷ ହେବ। ଏପରି ପରିସ୍ଥିତିରେ, ନବମୀର କନ୍ୟା ପୂଜନ ଅକ୍ଟୋବର ୧ ତାରିଖରେ କରାଯିବ।
ଏହି କାରଣରୁ ଏବର୍ଷ ଶାରଦୀୟ ନବରାତ୍ରିରେ ଗୋଟିଏ ନବରାତ୍ରି ଅଧିକ ପଡୁଛି। ନବରାତ୍ରି ୨୨ ସେପ୍ଟେମ୍ବରରେ ଆରମ୍ଭ ହୋଇ ୧ ଅକ୍ଟୋବର ସଂଧ୍ୟା ୦୭:୦୧ରେ ଶେଷ ହେବ।
ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଛି ମା ଦୁର୍ଗାଙ୍କ ପୂଜା । ଶାରଦୀୟ ପୂଜାର ସପ୍ତମୀ ତିଥି ଆରମ୍ଭ ହେଉଛି । ଏହି ଦିନ ବିଲ୍ବ ପୂଜା ଏବଂ ଅଧିବାସ ପରମ୍ପରା ରହିଛି । ୨୯ ତାରିଖରେ ମା ଙ୍କ ମହାଷ୍ଟମୀ ପୂଜା ହେବ । ସେହିଦିନ କନ୍ୟା ପୂଜା ମଧ୍ୟ ହୋଇଥାଏ । ଏହି ଦିନ ମା' ଦୁର୍ଗା ଦୁଇ ଅସୁର ଚଣ୍ଡ-ମୁଣ୍ଡଙ୍କ ସଂହାର କରିଥିଲେ।

ଏହି ୯ ଦିନରେ ମାତା ଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ତେବେ ଏହି ସବୁ ରୂପ ଗୁଡିକ କଣ ଜାଣନ୍ତୁ।
ଶୈଳପୁତ୍ରୀ: ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କ ଶୈଳପୁତ୍ରୀ ରୂପ ପୂଜା କରାଯାଏ । ଏହି ଦିନ ମା ଙ୍କ ଡାହାଣ ହାତରେ ତ୍ରିଶୁଳ ଏବଂ ବାମ ହାତରେ ପଦ୍ମ ରହିଥାଏ । ତେଣୁ ନବରାତ୍ରୀର ଆରମ୍ଭରେ, ଦେବୀଙ୍କ ଶୈଳପୁତ୍ରୀ ପୂଜା କରିବା ଜରୁରୀ ।
ବ୍ରହ୍ମଚାରିଣୀ: ଦେବୀ ବ୍ରହ୍ମଚାରିଣୀଙ୍କୁ ନବରାତ୍ରୀଙ୍କ ଦ୍ୱିତୀୟ ଦିନରେ ପୂଜା କରାଯାଏ। ମାତା ବ୍ରହ୍ମଚାରିଣୀଙ୍କ ଗୋଟିଏ ହାତରେ ପଦ୍ମ ଓ ଅନ୍ୟ ହାତରେ କମଣ୍ଡଳ ଧରିଥାନ୍ତି । ତାଙ୍କୁ ସଠିକ୍ ଉପାସନା କରି ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର ହୋଇଯାଏ ।
ଦେବୀ ଚନ୍ଦ୍ରଘଣ୍ଟା: ନବରାତ୍ରୀର ତୃତୀୟ ଦିନରେ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ। ମସ୍ତକରେ ଅର୍ଦ୍ଧଚନ୍ଦ୍ର ବିରାଜମାନ ହୋଇଥାଏ । ହାତରେ ଖଡ୍ଗ, ତ୍ରିଶୁଳ, ଗଦା, ଧନୁ ଏବଂ ତୀର, ପଦ୍ମ ରହିଥାଏ ।
ମାତା କୁସ୍ମଣ୍ଡା: ମାତା କୁସ୍ମଣ୍ଡାଙ୍କୁ ନବରାତ୍ରୀର ଚତୁର୍ଥ ଦିନରେ ପୂଜା କରାଯାଏ । ଦେବୀ କୁସ୍ମଣ୍ଡାଙ୍କର ଆଠଟି ବାହୁ ରହିବା ସହିତ ବାହନ ଭାବେ ସିଂହ ରହିଥାଏ ।
ଦେବୀ ସ୍କନ୍ଦମାତା: ଦେବୀ ସ୍କନ୍ଦମାତାଙ୍କୁ ନବରାତ୍ରୀଙ୍କ ପଞ୍ଚମ ଦିନରେ ପୂଜା କରାଯାଏ। ମାତାଙ୍କର ଚାରିଟି ବାହୁ ରହିଥାଏ । ଯେଉଁଥିରେ ଗୋଟିଏ ହାତରେ କାର୍ତ୍ତିକେୟଙ୍କୁ ଏବଂ ଅନ୍ୟ ତିନି ହାତରେ ପଦ୍ମ ଫୁଲ, ବରଦ ମୁଦ୍ରା ଏବଂ ଧଳା ପଦ୍ମ ଫୁଲ ଧରିଥାନ୍ତି ।
ମାତା କାତ୍ୟାୟନୀ: ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ । ସେହି ଦିନ ମା ଙ୍କ ରଙ୍ଗ ସ୍ବର୍ଣ୍ଣ ପରି ଉଜ୍ଜ୍ୱଳ ଏବଂ ଚାରିଟି ବାହୁ ରହିଥାଏ । ତାଙ୍କ ହାତ ଅଭୟ ମୁଦ୍ରା, ବର ମୁଦ୍ରା, ଖଡ୍ଗ ଏବଂ ପଦ୍ମ ଫୁଲ ରହିଥାଏ ।
ମାତା କାଳରାତ୍ରୀ: ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରୀଙ୍କୁ ପୂଜା କରାଯାଏ । ମାତା କାଳରାତ୍ରୀଙ୍କର ତିନୋଟି ଆଖି ଏବଂ ଚାରି ବାହୁ ରହିଛି । ମା ତାଙ୍କ ହାତରେ ଖଣ୍ଡା, ଲୁହା ଅସ୍ତ୍ର, ଅଭୟ ମୁଦ୍ରା ଏବଂ ବର ମୁଦ୍ରା ରହିଥାଏ ।
ମାତା ମହାଗୌରୀ: ନବରାତ୍ରୀର ଅଷ୍ଟମ ଦିନରେ ମାତା ମହାଗୌରୀଙ୍କୁ ପୂଜା କରାଯାଏ। ମାତା ବଳଦ ସବାରୀ କରିଥାନ୍ତି । ରଙ୍ଗ ମଧ୍ୟ ଧଳା ହୋଇଥାଏ । ମାତା ମହାଗୌରୀ ଅଭୟ ମୁଦ୍ରା, ତ୍ରିଶୁଳ, ଡମ୍ବରୁ ଏବଂ ବର ମୁଦ୍ରାଙ୍କୁ ଚାରି ହାତରେ ଧରିଥାନ୍ତି ।
ମାତା ସିଦ୍ଧିଦାତ୍ରୀ: ନବରାତ୍ରୀ ପର୍ବର ନବମ ତଥା ଶେଷ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମାତାଙ୍କର ୧୦ଟି ବାହୁ ରହିଥିବା ବେଳେ ପଦ୍ମ, ଚକ୍ର, ଗଦା ଏବଂ ଶଙ୍ଖ ଧରିଥାନ୍ତି । ଦେବୀ ସିଦ୍ଧିଦାତ୍ରୀ ସିଂହ ଉପରେ ଆରୋହଣ କରନ୍ତି। ନବରାତ୍ରୀରେ ମା ଙ୍କୁ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ ।












Click it and Unblock the Notifications