ଆସିବ +2 ଶିକ୍ଷକ ନିଯୁକ୍ତି, ରାଜ୍ୟରେ ବଢିବ +2 କଲେଜ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ବାହାରିବ ଶିକ୍ଷକ ନିଯୁକ୍ତି । +2 ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏହା ସହିତ ବଢିବ +2 କଲେଜ ସଂଖ୍ୟା । ଏ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବା ପାଇଁ ଚଳିତ ଶିକ୍ଷାବର୍ଷରେ 106 ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏଥିରୁ 100 ଟି ବିଦ୍ୟାଳୟରେ କଳା ସହ ଜଡିତ ଶିକ୍ଷାଦାନ କରାଯିବ ଏବଂ ଅନ୍ୟ 6 ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକ୍ସନରେ ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ । ଏହି କଲେଜ ସଂଖ୍ୟା ବୃଦ୍ଧି ପାଇବା ସହିତ ଶିକ୍ଷକ ନିଯୁକ୍ତି ମଧ୍ୟ ଆସିବ ।
+2 ଖୋଲିବାକୁ ଥିବା ରାଜ୍ୟର ଏହି 106 ସରକାରୀ ବିଦ୍ୟାଳୟରେ ମୋଟ 13,468 ସିଟ ବୃଦ୍ଧି ହେବ । ଏହା ସହିତ ଧନ୍ଦାମୂଳକ ଶିକ୍ଷାରେ ବ୍ୟାପକତା ବୃଦ୍ଧି କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେଣୁ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରୁଛନ୍ତି । ଏହି ବିଦ୍ୟାଳୟଗୁଡିକରେ 335 ଅଧ୍ୟାପକ-ଅଧ୍ୟାପିକାଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓପିଏସସି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ 364 ଅଧ୍ୟାପକଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ । ଏହାସହିତ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ 555 ଶିକ୍ଷକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ।
ସେହିପରି ନିଯୁକ୍ତିପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ କର୍ମଶାଳା ପ୍ରସ୍ତୁତ କରିବା ସହ ଧନ୍ଦାମୂଳକ ବିଦ୍ୟାଳୟର ଅଧ୍ୟକ୍ଷ-ଅଧ୍ୟାପକଙ୍କୁ ତାଲିମ ପ୍ରଦାନ କରାଯିବ । ଗୋଟିଏ ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କୁ ଅଧିକ ତାଲିମ ଦେବା ପାଇଁ ମଧ୍ୟପ୍ରଦେଶ ଭୋପାଲର ପଣ୍ଡିତ ସୁନ୍ଦରଲାଲଶର୍ମା ଧନ୍ଦମୂଳକ ତାଲିମ ପ୍ରତିଷ୍ଠାନ ସହ ରାଜିନାମା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।












Click it and Unblock the Notifications