ଆସନ୍ତା କାଲି ଠୁ ଆରମ୍ଭ ଶିକ୍ଷକ ବଦଳି ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ଶିକ୍ଷକ ବଦଳି ପାଇଁ ଆସନ୍ତା କାଲି ଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଅକ୍ଟୋବର 29 ରୁ ଖୋଲିବ ଅନଲାଇନ୍ ଆବେଦନ ପୋର୍ଟାଲ୍ । ଏହା ପରେ ଅନଲାଇନ୍ ଜରିଆରେ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ପାଇଁ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ନଭେମ୍ବର 29 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷା ପରିଷଦ ଅବଗତ କରିଛି । ବଦଳି ପ୍ରକ୍ରିୟା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ ।
ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆସନ୍ତା କାଲିଠାରୁ ଆରମ୍ଭ ହେବ । ବଦଳି ପାଇଁ ଶିକ୍ଷକ ମାନେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଅନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି । ବଦଳି ପାଇଁ ଥିବା ନିୟମ ବିଷୟରେ ସରକାର ପୂର୍ବରୁ ଅବଗତ କରାଇଛନ୍ତି ।
ବଦଳି ପାଇଁ କଣ ରହିଛି ଗାଇଡଲାଇନ୍
- ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ, ନିଜେ କିମ୍ବା ପରିବାରର ସଦସ୍ୟ ଯଦି ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦମ୍ପତିଙ୍କ କ୍ଷେତ୍ରରେ ବଦଳିକୁ ଅଗ୍ରାଧିକାର ଦିଆଯିବ ।
- ପରିବର୍ତ୍ତିତ ନିୟମ ଅନୁଯାୟୀ ଅସୁସ୍ଥତା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି ।
- ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍ ଦ୍ୱାରା ହିଁ ବିଚାରକୁ ନିଆଯିବ ।
- ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା'ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ ।
- ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା 90 ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ ।
- ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ ।
- ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା'ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ । ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତରରେ ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ ।












Click it and Unblock the Notifications