ଆମେରିକାର ନିର୍ବାଚନ 2024ରେ ପ୍ରତିଦ୍ୱନ୍ଦିତା କରିବେ ଜୋ ବାଇଡେନ ଏବଂ କମଳା ହାରିସ

ୱାସିଙ୍ଗଟନ୍ ଡିସି : 2024 ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଜୋ ବାଇଡେନ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଗତ କିଛି ମାସ ଧରି ଜୋ ବାଇଡେନ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ସେ ଏ ନେଇ ଘୋଷଣା କରିଛନ୍ତି । ତାଙ୍କ ସହ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ଘୋଷଣା କରିଛନ୍ତି ।
ଜୋ ବାଇଡେନ 25 ଅପ୍ରେଲରେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିବା ପାଇଁ ଚୟନ କରିଥିଲେ କାରଣ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବା ନେଇ 25 ଅପ୍ରେଲ 2019 ରେ ଘୋଷଣା କରିଥିଲେ । ଏହା ପରେ 2020 ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ ।
ଜୋ ବାଇଡେନ ତାଙ୍କ ଦାବି ଘୋଷଣା କରି ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ଆମେରିକାର ଲୋକଙ୍କୁ ତାଙ୍କୁ ଆଉ 4 ବର୍ଷ ସମୟ ଦେବାକୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ ସେ ଆରମ୍ଭ କରିଥିବା ମିଶନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ।
ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା, ଜୋ ବାଇଡେନ ପୁଣି ନିର୍ବାଚନ ଲଢିବା ନେଇ ଘୋଷଣା କରିବେ କି ନାହିଁ । ବର୍ତ୍ତମାନ ତାଙ୍କ ଘୋଷଣା ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି ।
ଉପରାଷ୍ଟ୍ରପତି କମଲା ହାରିସ୍ ମଦ୍ୟ ଟ୍ୱିଟ୍ କରି ସେ ପୁନର୍ବାର ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି । କମଲା ଏକ ଟ୍ୱିଟରେ ଲେଖିଛନ୍ତି, "ଜଣେ ଆମେରିକୀୟ ହିସାବରେ ଆମେ ସ୍ୱାଧୀନତା ଏବଂ ଅଧିକାର ଉପରେ ବିଶ୍ୱାସ କରୁ । ଆମେ ନିଶ୍ଚିତ ଯେ ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ, ଯେତେ ଆମର ଲଢିବାର ଇଚ୍ଛା ଅଛି । ସେଥିପାଇଁ ଜୋ ବାଇଡେନ୍ ଏବଂ ମୁଁ ପୁନର୍ବାର ନିର୍ବାଚନ ଲଢୁଛୁ ।"












Click it and Unblock the Notifications