ଓଡ଼ିଶାରେ ରୁଷ ସାଂସଦ ଏବଂ ତାଙ୍କ ବନ୍ଧୁଙ୍କ ସନ୍ଦେହଜନକ ମୃତ୍ୟୁ, ପ୍ରଶ୍ନ ଉଠାଇଲେ ୟୁକ୍ରେନ ରାଷ୍ଟ୍ରଦୂତ
ରୁଷର ସାଂସଦ ତଥା ବ୍ୟବସାୟୀ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ସହଯୋଗୀ ଭ୍ଲାଦିମିର ବେଡେନୋଭଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଛି । ମୃତ ସାଂସଦ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଥିଲେ ।
ନୂଆଦିଲ୍ଲୀ: ରୁଷର ସାଂସଦ ତଥା ବ୍ୟବସାୟୀ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ସହଯୋଗୀ ଭ୍ଲାଦିମିର ବେଡେନୋଭଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଛି । ମୃତ ସାଂସଦ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅଧିକାଂଶ ପ୍ରଶ୍ନ ଉଠିଛି, କାରଣ ଶବ ବ୍ୟବଚ୍ଛେଦ ପୂର୍ବରୁ ଉଭୟ ମୃତଦେହର ନମୁନା ସଂଗ୍ରହ କରାଯାଇ ନାହିଁ ବୋଲି ପୋଲିସ କହିଛି । ସ୍ୱାସ୍ଥ୍ୟ ବିଭାଗର ଫୋରେନସିକ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଶବଦାହ ପୂର୍ବରୁ ସାଂସଦଙ୍କ ଶରୀରରୁ ଭିସେରା ସଂରକ୍ଷଣ କରାଯାଇ ନାହିଁ ଏବଂ ପୋଲିସ ନମୁନା ମାଗି ନାହିଁ ।

ଫୋରେନସିକ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଅନୁସନ୍ଧାନ ପାଇଁ ନିଶ୍ଚିତ ଭାବରେ ତାଙ୍କ ଶରୀରର ନମୁନା ଆବଶ୍ୟକ ହେବ । ଫୋରେନସିକ୍ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଅନୁସନ୍ଧାନ ପାଇଁ କେବଳ ଶବ ବ୍ୟବଚ୍ଛେଦ ଏବଂ ଭିସେରା ରିପୋର୍ଟ ଉପରେ ନିର୍ଭର କରାଯାଇପାରିବ ନାହିଁ ।
ଏଥି ସହ ଓଡିଶାର କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ, ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ଅପ୍ରାକୃତିକ ମୃତ୍ୟୁକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ରୁଷର ସାଂସଦ ତଥା ବ୍ୟବସାୟୀ ପାଭେଲ ଆଣ୍ଟୋଭଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି, ତାଙ୍କ ଶରୀରରେ ଆଭ୍ୟନ୍ତରୀଣ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ଏଥି ସହିତ ତାଙ୍କ ସାଥୀ ଭ୍ଲାଦିମିର ବେଡେନୋଭଙ୍କ ମୃତ୍ୟୁର କାରଣକୁ ହୃଦଘାତ ବୋଲି କୁହାଯାଇଛି । ଦୁହେଁ ଦକ୍ଷିଣ ଓଡ଼ିଶାର ରାୟଗଡା ସହରର ଏକ ହୋଟେଲରେ ରହିଥିଲେ ଏବଂ ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଜାରି ରହିଛି ।
ରୁଷର ସାଂସଦ ଆଣ୍ଟୋଭଙ୍କୁ 65 ବର୍ଷ ଏବଂ ତାଙ୍କ ବନ୍ଧୁ ଭ୍ଲାଦିମିର ବେଡେନୋଭଙ୍କୁ 61 ବର୍ଷ ହୋଇଥିଲା ଏବଂ ସେମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓଡିଶା ପୋଲିସ କହିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଶନିବାର ତାଙ୍କ ହୋଟେଲର ତୃତୀୟ ମହଲାରୁ ଖସିଯିବା ପରେ ଆଣ୍ଟୋନୋଭଙ୍କର ମୃତ୍ୟୁ ହୋଇଥିଲା ଏବଂ ମୃତ୍ୟୁର ଦୁଇ ଦିନ ପରେ ବିଦାନୋଭ ମଧ୍ୟ ସେହି ହୋଟେଲରେ ହୃଦଘାତରେ ପ୍ରାଣ ହରାଇଥିଲେ । ଏଥି ସହିତ ରାୟଗଡାର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଲାଲମୋହନ ରାଉତ କହିଛନ୍ତି ଯେ ଭ୍ଲାଦିମିର ବାଡେନୋଭଙ୍କ ପୋଷ୍ଟମର୍ଟମ କରିବା ପରେ ଲାବୋରେଟୋରୀ ପରୀକ୍ଷା ପାଇଁ ତାଙ୍କ ଶରୀରର ନମୁନା ରଖାଯାଇଥିଲା । ଯକୃତ, ହୃତପିଣ୍ଡ, କଫ, ଫୁସଫୁସ ଏବଂ କିଡନୀର ନମୁନା ଅନ୍ତର୍ଭୁକ୍ତ ଏହି ଭିସେରାକୁ ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଏ ବୋଲି ସେ କହିଛନ୍ତି । ଆଣ୍ଟୋନୋଭଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା, ବୋଧହୁଏ ଏହା ସେ ପଡ଼ିଯିବା ହେତିୁ ହୋଇଛି ବୋଲି ସେ କହିଛନ୍ତି । କିନ୍ତୁ, ଭିସେରା ନମୁନା ପଠାଇବାକୁ ପୋଲିସ ବିଶେଷ ଭାବେ କହି ନଥିଲା ।
ଦୁଇ ରୁଷ ନାଗରିକଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଅନେକ ବିବାଦ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବତନ ପୋଲିସ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ କହିଛନ୍ତି ଯେ ମାନଦଣ୍ଡ ପାଳନ କରାଯାଇ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଓଡିଶାର ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ଅଧିକ ଅନୁସନ୍ଧାନ ପାଇଁ ଭିସେରା ରଖାଯିବା ଉଚିତ୍ । ପଞ୍ଜାବର ବଠିଣ୍ଡାସ୍ଥିତ ଆଦେଶ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସସ୍ ଏବଂ ରିସର୍ଚ୍ଚର ଫୋରେନସିକ୍ ପ୍ରଫେସର ବିଶାଲ ଗର୍ଗ କହିଛନ୍ତି ଯେ ଯେଉଁଠାରେ ସନ୍ଦେହ ଥାଏ, ସେଠାରେ ରାସାୟନିକ ପରୀକ୍ଷା ପାଇଁ ନମୁନା ସଂରକ୍ଷଣ କରାଯିବା ଉଚିତ୍ । ସେ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହା କରାଯାଇ ନାହିଁ, ଏପରିକି ବିଶେଷ କରି ଯେତେବେଳେ ଦୁଇଜଣ ଲୋକଙ୍କ ଏତେ ଶୀଘ୍ର ମୃତ୍ୟୁ ହେଉଛି । ଏଥି ସହ ଓଡ଼ିଶା ହାଇକୋର୍ଟର ଓକିଲ ଦେବଶିଷ ପଣ୍ଡା କହିଛନ୍ତି ଯେ ପୋଲିସ ଏବଂ ଡାକ୍ତରମାନେ ଏହି ନମୁନା ରଖିବା ଉଚିତ୍ । ସେ କହିଛନ୍ତି, "ଯଦି ଏହା ସ୍ପଷ୍ଟ ଯେ ଉଚ୍ଚତାରୁ ଖସିପଡ଼ିବା କାରଣରୁ କେହି ମୃତ୍ୟୁବରଣ କରିଛନ୍ତି, ତେବେ ରାସାୟନିକ ପରୀକ୍ଷଣର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଯେତେବେଳେ କୌଣସି ସାକ୍ଷୀ ନାହାଁନ୍ତି, ଜଣେ କିପରି ନିଶ୍ଚିତ ହୋଇପାରିବ ?"
ହୋଟେଲ କର୍ମଚାରୀଙ୍କ ରିପୋର୍ଟ ଅନୁଯାୟୀ ଆଣ୍ଟୋନୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବାଡେନୋଭଙ୍କ ମଧ୍ୟରେ କୌଣସି ଝଗଡା ହୋଇଛି କି ନାହିଁ ପୋଲିସ ଅନୁସନ୍ଧାନ କରୁଛି । ଭଙ୍ଗା ମଦ ବୋତଲ ଏବଂ ଥାଳିଗୁଡ଼ିକ କୋଠରୀରେ ବିଛାଡି ହୋଇଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ, ଡେଲି ମେଲ ରିପୋର୍ଟ ଅନୁଯାୟୀ ରୁଷର ସାଂସଦ ଆଣ୍ଟୋନୋଭ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଠୋର ସମାଲୋଚକ ଥିଲେ ହେଁ ସେ ପୁଟିନଙ୍କ ଦଳର ସାଂସଦ ଥିଲେ । ଯେତେବେଳେ ରୁଷ ବିମାନ ଆକ୍ରମଣରେ ୟୁକ୍ରେନର ରାଜଧାନୀ କ୍ୱିଭ୍ ଧ୍ୱଂସ ହୋଇଥିଲା, ସେତେବେଳେ ସେ ପୁଟିନଙ୍କୁ କଡ଼ା ସମାଲୋଚନା କରିଥିଲେ । ତେବେ ପରେ ଚାପ ବଢିବା ପରେ ସେ କ୍ଷମା ମାଗିଥିଲେ । ପରେ ସେ କହିଥିଲେ ଯେ ସେ ରୁଷର ରାଷ୍ଟ୍ରପତିଙ୍କ ସହ ଅଛନ୍ତି ଏବଂ ଯୁଦ୍ଧ ସପକ୍ଷରେ ଅଛନ୍ତି ।
ଏହି ମାମଲାରେ ଓଡିଶା କ୍ରାଇମ ବ୍ରାଞ୍ଚ ଏପର୍ଯ୍ୟନ୍ତ ରୁଷ ଦମ୍ପତିଙ୍କୁ ପଚରାଉଚୁରା କରୁଛି । 44 ବର୍ଷିୟ ପେସେନକୋ ନାଟାଲିଆ ଏବଂ ତାଙ୍କ ସ୍ୱାମୀ ତୁରୋଭ ମିଖାଇଲ ଏବଂ ସେମାନଙ୍କ ଭାରତୀୟ ଗାଇଡ୍ ଜିତେନ୍ଦ୍ର ସିଂହଙ୍କୁ ସହ ପଚରାଉଚରା କରାଯାଇଥିଲା । ସମସ୍ତେ ରାୟଗଡା ହୋଟେଲରେ ରହିଥିଲେ । ଏହା ସହିତ ତାଙ୍କ ଡ୍ରାଇଭର ନାଟୋବର ମହାନ୍ତିଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି ।
କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ରୁଷ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ନାହିଁ । କିନ୍ତୁ ବିବିସି ରିପୋର୍ଟ ଅନୁଯାୟୀ କୋଲକାତାର ରୁଷ କନସୁଲେଟର ମୁଖପାତ୍ର ଉଭୟ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରକାର ଷଡଯନ୍ତ୍ରର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । ଏଥି ସହିତ, ଅଷ୍ଟ୍ରିଆରେ ୟୁକ୍ରେନର ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର୍ ଶେର୍ବା ସାଂସଦ ଆଣ୍ଟୋନୋଭଙ୍କ ମୃତ୍ୟୁକୁ ନେଇ ପୁଟିନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।












Click it and Unblock the Notifications