ବଦଳିଲା ତୁର୍କୀର ନାମ, ଏବେ ଏହି ନାମରେ ପରିଚିତ ହେବ
ଜାତିସଂଘ ପରିବର୍ତ୍ତନ କରିବାକୁ ତୁର୍କୀର ଅନୁରୋଧକୁ ଗ୍ରହଣ କରିଛି । ବର୍ତ୍ତମାନ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) ଭାବେ ପରିଚିତ ହେବ ।
ଅଙ୍କାରା : ଜାତିସଂଘ ପରିବର୍ତ୍ତନ କରିବାକୁ ତୁର୍କୀର ଅନୁରୋଧକୁ ଗ୍ରହଣ କରିଛି । ବର୍ତ୍ତମାନ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) ଭାବେ ପରିଚିତ ହେବ । ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) କରିବାକୁ ଏହାର ବୈଦେଶିକ ମନ୍ତ୍ରୀ ମେୱତୁଲ କାଭୁସୋଗ୍ଲୁ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଙ୍କୁ ଚିଠି ଲେଖିଛନ୍ତି । ଦୁଜାରିକ୍ ଆହୁରି ମଧ୍ୟ କହିଛନ୍ତି ଯେ ଚିଠି ପାଇବା ପରେ ନାମ ପରିବର୍ତ୍ତନ କରାଯାଇଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ତୁର୍କୀର ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନକୁ ଚିଠି ଲେଖିବା ବିଷୟରେ ସୂଚନା ଦେଇଥିଲେ । ଚିଠିରେ ଲେଖାଥିଲା, 'ଆମେ, ଯୋଗାଯୋଗ ନିର୍ଦ୍ଦେଶାଳୟ ସହିତ ମିଶି ଏଥିପାଇଁ ଏକ ଭଲ ଭିତ୍ତିଭୂମି ସୃଷ୍ଟି କରିବାରେ ସକ୍ଷମ ହେଲୁ । ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥାରେ ଆମେ ଆମର ନାମ ପରିବର୍ତ୍ତନ କରିଛୁ ।'
ଡିସେମ୍ବରରେ ତୁର୍କୀ ରାଷ୍ଟ୍ରପତି ରେଚପ ତୈୟପ ଏର୍ଦୋଗନ୍ ତାଙ୍କ ଦେଶବାସୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ଭାଷାରେ ତୁର୍କୀୟେ ନାମ ବ୍ୟବହାର କରିବାକୁ କହିଥିଲେ । ସେ କହିଛନ୍ତି ଯେ ତୁର୍କୀୟେ ଶବ୍ଦ ତୁର୍କୀ ରାଷ୍ଟ୍ରର ସଂସ୍କୃତି, ସଭ୍ୟତା ଏବଂ ମୂଲ୍ୟବୋଧକୁ ସର୍ବୋତ୍ତମ ପ୍ରତିଫଳିତ କରିଥାଏ ଏବଂ ପ୍ରକାଶ କରିଥାଏ । ଏଥିସହ, ଏର୍ଦୋଗନ୍ କମ୍ପାନୀଗୁଡ଼ିକୁ ରପ୍ତାନି କରୁଥିବା ସମସ୍ତ ଜିନିଷ ଉପରେ 'ମେଡ୍ ଇନ୍ ତୁର୍କୀୟେ' ଲେଖିବାକୁ କହିଥିଲେ ।
ପୂର୍ବରୁ ବଦଳିଛି ଏହ ଦେଶର ନାମ
ନିକଟରେ ସ୍ୱାଜିଲ୍ୟାଣ୍ଡ ଏହାର ନାମ ଇସ୍ତ୍ୱାତୀନୀ ରେ ପରିବର୍ତ୍ତନ କରିଛି । ଏହାପୂର୍ବରୁ ନେଦରଲ୍ୟାଣ୍ଡ ଏହାର ପୁରୁଣା ନାମ ହଲାଣ୍ଡକୁ ହଟାଇ ଦେଇଥିଲା । ବର୍ମା ମଧ୍ୟ ଏହାର ନାମ ମିଆଁମାରରେ ବଦଳାଇଥିଲା । ଗ୍ରୀସ୍ ସହିତ ରାଜନୈତିକ ବିବାଦ ହେତୁ ମୈସେଡୋନିଆର ନାମ ଉତ୍ତର ମୈସେଡୋନିଆରେ ପରିବର୍ତ୍ତନ କରିଥିଲା । ଅପ୍ରେଲ 2016 ରେ, ଚେକ ରିପବ୍ଲିକ୍ ନାମ ଚେକିଆରେ ପରିବର୍ତ୍ତିତ ହୋଇଥିଲା । ନାମ ପରିବର୍ତ୍ତନ ପୂର୍ବରୁ ପ୍ରାୟ 20 ବର୍ଷ ଧରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । 1935 ରେ ଫାରସ ଏହାର ନାମ ଇରାନରେ ବଦଳାଇଥିଲା । ଶ୍ରୀଲଙ୍କାକୁ ସିଲନ୍ ବୋଲି କୁହାଯାଉଥିଲା ।












Click it and Unblock the Notifications