ତୃତୀୟ ବିଶ୍ୱ ଯୁଦ୍ଧ 'ପରମାଣୁ ଏବଂ ବିନାଶକାରୀ' ହେବ - ୟୁକ୍ରେନ ସହିତ ଆଲୋଚନା ପୂର୍ବରୁ ରୁଷର ବଡ ଧମକ
ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ 'ପରମାଣୁ ଏବଂ ବିନାଶକାରୀ' ହେବ । ରୁଷ ୟୁକ୍ରେନକୁ ଆଣବିକ ଅସ୍ତ୍ର ହାସଲ କରିବାକୁ ଅନୁମତି ଦେବ ନାହିଁ ।
ମସ୍କୋ / କ୍ୱିଭ୍ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ 'ପରମାଣୁ ଏବଂ ବିନାଶକାରୀ' ହେବ । ରୁଷ ୟୁକ୍ରେନକୁ ଆଣବିକ ଅସ୍ତ୍ର ହାସଲ କରିବାକୁ ଅନୁମତି ଦେବ ନାହିଁ । ରୁଷର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପ୍ରତିବନ୍ଧକ ପାଇଁ ରୁଷ ପୂର୍ବରୁ ପ୍ରସ୍ତୁତ ଥିଲା, କିନ୍ତୁ ପାଶ୍ଚାତ୍ୟ ଦେଶ ଏହାର ଆଥଲେଟ୍ସ, ସାମ୍ବାଦିକ ତଥା ସାଂସ୍କୃତିକ କ୍ଷେତ୍ରର ପ୍ରତିନିଧୀଙ୍କୁ ଟାର୍ଗେଟ କରିବ ବୋଲି ଆଶା କରି ନଥିଲା ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ବୁଧବାର ଏହାର ସପ୍ତମ ଦିନରେ ପ୍ରବେଶ କରିଛି ଏବଂ ରାଜଧାନୀ କ୍ୱିଭ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ୟୁକ୍ରେନ ସୁରକ୍ଷା ସେବା ଦ୍ୱାରା ବ୍ୟବହୃତ ହେବାଗକୁ ଥିବା ଟାର୍ଗେଟ ଗୁଡ଼ିକ ଉପରେ ଷ୍ଟ୍ରାଇକ କରିବାକୁ ରୁଷ ଯୋଜନା କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ରୁଷର ସୈନ୍ୟବାହିନୀ ନିଜର ସାମରିକ କାର୍ଯ୍ୟକୁ ଯଥେଷ୍ଟ ବୃଦ୍ଧି କରିଛି ଏବଂ ଯୁଦ୍ଧର ସପ୍ତମ ଦିନରେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ ଉପରେ ରକେଟ୍ ଏବଂ ଭାରୀ ଆର୍ଟିଲିରି ମାଡ଼ କରିଛି । ଖାର୍କିଭରେ ରୁଷର ସେନା ଧ୍ୱଂସ ଘଟାଇଛି, କିନ୍ତୁ ଖାର୍କିଭ ଏପର୍ଯ୍ୟନ୍ତ କବଜା କରି ପାରିନାହିଁ । ଅନ୍ୟ ପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖାର୍କିଭ ଗୁଳିଚାଳନାକୁ ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି ।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସମର୍ଥନ ବଢାଇ ଦେଇଛନ୍ତି କିନ୍ତୁ ରୁଷ ବିରୋଧରେ ଲଢେଇରେ ଆମେରିକା ଜଡିତ ହେବ ନାହିଁ ବୋଲି କହିଛି । ସେ କହିଛନ୍ତି ଯେ ଆମେରିକା ଏହାର ସହଯୋଗୀମାନଙ୍କ ସହ ନାଟୋ ଅଞ୍ଚଳକୁ ରକ୍ଷା କରିବ । ଏଥି ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଆଲୋଚନା ଆଜି ଅନୁଷ୍ଠିତ ହେବ । ସୋମବାର ପ୍ରଥମ ରାଉଣ୍ଡ ଆଲୋଚନା ପରେ ଉଭୟ ପକ୍ଷ ପୁନର୍ବାର ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ପ୍ରଥମ ରାଉଣ୍ଡ ଆଲୋଚନା କୌଣସି ଠୋସ୍ ଫଳାଫଳ ଦେଇ ନାହିଁ । ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ବେଲାରୁଷଷର ସୀମାନ୍ତ ସହର ଗୋମେଲରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ।

ୟୁକ୍ରେନ ଗୁପ୍ତଚର ଅନୁଯାୟୀ, ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ୍ ବର୍ତ୍ତମାନ ବେଲାରୁଷର ମିନସ୍କରେ ଅଛନ୍ତି ଏବଂ କ୍ରେମଲିନ୍ ତାଙ୍କୁ ଏକ ସ୍ୱତନ୍ତ୍ର ଅପରେସନ୍ ପାଇଁ ପ୍ରସ୍ତୁତ କରୁଛନ୍ତି । ୟୁକ୍ରେନ ଗଣମାଧ୍ୟମର ଦାବି ଅନୁଯାୟୀ, କ୍ରେମଲିନ୍ ତାଙ୍କୁ "ୟୁକ୍ରେନର ରାଷ୍ଟ୍ରପତି" ଘୋଷଣା କରିବାକୁ ଚେଷ୍ଟା କରିବ । ପ୍ରାପ୍ତ ସୂଚନା ସୂଚାଇ ଦେଉଛି ଯେ ପୂର୍ବତନ ରାଷ୍ଟ୍ରପତି ୟାନୁକୋଭିଚ୍ ଙ୍କୁ ୟୁକ୍ରେନକୁ ଫେରାଇ ଆଣିବା ପାଇଁ କ୍ରେମଲିନ୍ ପ୍ରସ୍ତୁତ ହେଉଛି ଏବଂ ବିଶ୍ୱାସ ରହିଛି ଯେ କ୍ୱିଭ୍ କବଜା କରିବା ପରେ ଭିକ୍ଟରଙ୍କୁ ୟୁକ୍ରେନର ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରାଯାଇପାରେ ।

ଆପଣଙ୍କୁ କହି ରଖୁଛୁ ଯେ ଏହି ସମୟରେ ବିଶ୍ୱ ପରମାଣୁ ଆକ୍ରମଣକୁ ଅଧିକ ଭୟ କରୁଛି କାରଣ ଇତିହାସରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଆଣବିକ ଆକ୍ରମଣ ଘଟିଛି, ଯାହା ଆମେରିକା କରିଛି । 77 ବର୍ଷ ପୂର୍ବେ ଆମେରିକା ଜାପାନର ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଅଗଷ୍ଟ 6 ରେ ହିରୋସିମା ଏବଂ 9 ଅଗଷ୍ଟରେ ନାଗାସାକିରେ ପରମାଣୁ ଆକ୍ରମଣ ହୋଇଥିଲା । ହିରୋସିମାଠାରେ ପ୍ରାୟ 80 ହଜାର ଲୋକ ଏବଂ ନାଗାସାକିରେ 70 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । ସେହି ଆକ୍ରମଣ ଜାପାନ ଉପରେ ଏତେ ସାଂଘାତିକ ପ୍ରଭାବ ପକାଇଥିଲା ଯେ ସେଠାରେ ଜନ୍ମିତ ଅନେକ ପିଢୀ ବିକଳାଙ୍ଗ ହୋଇଥିଲେ । ଏଭଳି ପରିସ୍ଥିତିରେ ଆଜିର ଦିନରେ ରୁଷ ନିକଟରେ ଥିବା ପରମାଣୁ ବୋମା ଆମେରିକାର ପରମାଣୁ ବୋମା ଅପେକ୍ଷା ଅଧିକ ମାରାତ୍ମକ ଅଟେ, ଯାହା ଦୁନିଆରେ ହଇଚଇ ସୃଷ୍ଟି କରିପାରେ ।












Click it and Unblock the Notifications