ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆମେରିକାର ସଂସଦର ନିବେଦନ : ଭାରତକୁ ଶୀଘ୍ର ପଠାଯାଉ 6 କୋଟି ଟିକା
ଜେସି ଜ୍ୟାକ୍ସନ ଏବଂ ଡେମୋକ୍ରାଟିକ୍ ସାଂସଦ ରାଜା କୃଷ୍ଣମୂର୍ତ୍ତି ଭାରତକୁ ସାହାଯ୍ୟ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି । ସେମାନେ ଆମେରିକା ସଂସଦରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି କହିଛନ୍ତି ଭାରତକୁ 6 କୋଟି କରୋନା ଟିକା ଯୋଗାଇଦିଆଯାଉ ।
ୱାଶିଂଟନ୍ : ଭାରତରେ ଜାରି ରହିଥିବା କରୋନା ଭାଇରସର ଦ୍ୱିତୀୟ ଲହର ସମୟରେ ସାରା ବିଶ୍ୱର ଅନେକ ଦେଶ ସହାୟତାର ହାତ ବଢାଉଛନ୍ତି । ଏହି ମହାମାରୀର ସଙ୍କଟରେ ଆମେରିକା ଭାରତକୁ ସବୁ ଦିଗରେ ସାହାଯ୍ୟ କରୁଛି । ସେହି କ୍ରମରେ ଆମେରିକାର ନାଗରିକ ଅଧିକାର କର୍ମୀ ରେଭ ଜେସି ଜ୍ୟାକ୍ସନ ଏବଂ ଡେମୋକ୍ରାଟିକ୍ ସାଂସଦ ରାଜା କୃଷ୍ଣମୂର୍ତ୍ତି ଭାରତକୁ ସାହାଯ୍ୟ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି । ସେମାନେ ଆମେରିକା ସଂସଦରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି କହିଛନ୍ତି ଭାରତକୁ 6 କୋଟି କରୋନା ଟିକା ଯୋଗାଇଦିଆଯାଉ ।

ଆମେରିକାର ସିଭିଲ୍ ରାଇଟ୍ସ ଆକ୍ଟିଭିଷ୍ଟ ରେଭ ଜେସି ଜ୍ୟାକ୍ସନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ପୂର୍ବରୁ ଘୋଷଣା କରାଯାଇଥିବା 8 କୋଟି ଟିକା ମଧ୍ୟରୁ ଅତି କମରେ 6 କୋଟି ଟିକା ଭାରତକୁ ଯୋଗାଇଦିଆଯାଉ । ଏହି ଆବେଦନକୁ ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ମଧ୍ୟ ସମର୍ଥନ କରିଥିଲେ । ଉଭୟ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ନିଶ୍ଚିତ କରିଛନ୍ତି । ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।
ରେଭ୍ ଜେସି ଜ୍ୟକ୍ସନ କହିଛନ୍ତି ଭାରତରେ ଦେଖାଦେଇଥିବା ନୂଆ ଭାରିଏଣ୍ଟ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଗଣତନ୍ତ୍ରରେ ଭାରତ ଆମର ଅଂଶୀଦାର । କରୋନା ବିଶ୍ୱ ତଥା ବିଭିନ୍ନ ଦେଶର ସୀମାକୁ ଚିହ୍ନି ନଥାଏ । ଭାଇରସ କୌଣସି ଜାତି, ଧର୍ମ ଏବଂ ଚିନ୍ତାଧାରା ଦେଖି ବ୍ୟାପିନଥାଏ । ତେଣୁ ଏହାର ବିସ୍ତାରକୁ ରୋକିବା ପାଇଁ ଆମେ ଭାରତକୁ ଟିକା ଯୋଗାଇଦେବା ସହ ସହାୟତା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ଏହା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭାରତକୁ ସାହାଯ୍ୟ କରିବାକୁ କହିଥିଲେ । ଭାରତ ପରି କରୋନା ପ୍ରଭାବିତ ଦେଶକୁ ଲକ୍ଷ ଲକ୍ଷ ଡୋଜ ଆଷ୍ଟ୍ରାଜେନେକା ଟିକା ପଠାଇବାକୁ ଜୋ ବାଇଡେନଙ୍କୁ କୃଷ୍ଣମୂର୍ତ୍ତି ନିବେଦନ କରିଥିଲେ। ହ୍ୱାଇଟ ହାଉସରେ ଭାରତକୁ ସାହାଯ୍ୟ କରାଯାଉଛି ବୋଲି ସେ କହିଛନ୍ତି । ଏହି ସମୟରେ ମୋ ଦ୍ୱାରା ଯାହା ସମ୍ଭବ ମୁଁ କରିବି ବୋଲି ସେ କହିଛନ୍ତି ।












Click it and Unblock the Notifications