ହକିକୁ ନବୀନଙ୍କ ଭେଟି: ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା
ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା । ଏ ନେଇ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ହକି ଉପରେ ରହିବ ଅଧିକ ଫୋକସ୍ । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା । ଏ ନେଇ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୨୦୧୮ରୁ ୨୦୨୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବାକୁ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଚୁକ୍ତି କରିଥିଲେ । ଅଥାର୍ତ ଆଗକୁ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା ।

ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିବା ସହ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ। ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।
ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହିଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ୟକର୍ତ୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।
ପୂର୍ବରୁ ଭାରତୀୟ ହକିର ପ୍ରାୟୋଜକ ହୋଇ ଓଡ଼ିଶା ବେଶ ପ୍ରଂଶସା ସାଉଁଟିଛି । ଖାସକରି ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିବା ପରେ ଓଡ଼ିଶା ଓ ନବୀନଙ୍କୁ ପୂରା ଦେଶ ପ୍ରଂଶସା କରିଥିଲା । ଦୁର୍ଦ୍ଦିନରେ ଗତି କରୁଥିବା ଭାରତୀୟ ହକିକୁ ନୂଆ ଜନ୍ମ ଦେଇଥିବାରୁ ନବୀନ ବେଶ ବାହାବା ସାଉଁଟିଥିଲେ । ଏହାସହ ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାନୀ ରାମପାଲ ମଧ୍ୟ ଓଡ଼ିଶାକୁ ଅନୁକରଣ କରିବା ସହ ପ୍ରତ୍ୟେକ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ଆପଣାନ୍ତୁ ବୋଲି କହିଥିଲେ ।












Click it and Unblock the Notifications