ଚାରି ଗୋଟି ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ ଦେଲେ ଓଡିଶା ସରକାର
ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ନୂତନ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଚାରୋଟି ନୂତନ ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ରାଜ୍ୟର ବିଭିନ୍ନ ଶିଳ୍ପ ଭିତ୍ତିଭୂମି ପାଇଁ ୫୧୯୨ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଆଜି ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି ଉପରେ ଅନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରିଛନ୍ତି।

ନୂତନ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପୁରାତନ ତଥା ନୂତନ ଶିଳ୍ପାଞ୍ଚଳକୁ ଭଲ ରାସ୍ତା, ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ, ପାଇପ୍ ପାନୀୟ ଜଳ ଏବଂ ଡ୍ରେନେଜ୍ ଇତ୍ୟାଦି ମୌଳିକ ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ, ଏମଏସଏମଇ ଏବଂ ଇଡକୋକୁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକରି କରିବା ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ନୂତନ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ ସଂପୃକ୍ତ ଇଷ୍ଟେଟରେ ଶିଳ୍ପ କାର୍ଯ୍ୟକଳାପକୁ ଆଗକୁ ବଢାଇବା ଏବଂ ନିବେଶକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ପ୍ରକଳ୍ପଗୁଡିକ ଜରୁରୀ ଅଟେ।
ନୂତନ ପ୍ରକଳ୍ପ ଗୁଡିକ ହେଲା:
ବାଲେଶ୍ଵରର ବିଭିନ୍ନ ଶିଳ୍ପାଞ୍ଚଳକୁ ଜଳ ଯୋଗାଣ, ଡେରାସ ସ୍ଥିତ ସି-ଫୁଡ ପାର୍କ ପାଇଁ ଭାରି ଯାନ ଚଳାଚଳ ସୁବିଧା ନିମନ୍ତେ ବାରଙ୍ଗ-ପିତାପଲ୍ଲୀ ରାସ୍ତାର ପ୍ରଶସ୍ତିକରଣ, ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ଜଳ ଯୋଗାଣ ଏବଂ ଅନ୍ଧାରୁଆ ବାୟୋଟେକ ପ୍ଳାଣ୍ଟ ପାଇଁ ଜଳ ଯୋଗାଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ। ପୂର୍ବରୁ ଅନୁମୋଦିତ ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ବୈଠକରେ ଶିକ୍ପ ସଚିବ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ଜ୍ୟୟ ପ୍ରଶମନ ସଚିବ ବିଷ୍ଣପଦ ସେଠୀ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇଡକୋର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁପିନ୍ଦର ସିଂ ପୂନିୟା ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications