ଅଙ୍ଗନବାଡୀ ପିଲାଙ୍କୁ ଦିଆଯିବ ଚୁନା ମାଛ : ଗର୍ଭବତୀ ଓ କିଶୋରୀମାନଙ୍କୁ ମଧ୍ୟ ମିଳିବ ସୁବିଧା
ଏଣିକି ଅଙ୍ଗନବାଡୀ ପିଲା ଖାଇବେ ଚୁନା ମାଛ । 3ରୁ 6 ବର୍ଷ ବୟସର ଶିଶୁକୁ ଚୁନା ମାଛ ଦିଆଯିବ । ଗର୍ଭବତୀ, ପ୍ରସୂତି ମହିଳା ଏବଂ କିଶୋରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ।
ଭୁବନେଶ୍ୱର : ଏଣିକି ଅଙ୍ଗନବାଡୀ ପିଲା ଖାଇବେ ଚୁନା ମାଛ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡୀ କେନ୍ଦ୍ରରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୁନା ମାଛକୁ ସାମିଲ କରାଯିବ । 3ରୁ 6 ବର୍ଷ ବୟସର ଶିଶୁକୁ ଚୁନା ମାଛ ଦିଆଯିବ । ସେହିପରି ଗର୍ଭବତୀ, ପ୍ରସୂତି ମହିଳା ଏବଂ କିଶୋରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ପାଇଲଟ୍ ପ୍ରକଳ୍ପ ଭାବେ ମୟୁରଭଞ୍ଜ ଜିଲ୍ଲାର 50ଟି ଅଙ୍ଗନବାଡୀ କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ । ଆଜି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ଓ୍ୱାର୍ଲ ଫିସ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମେ ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାରେ ଲାଗୁ କରାଯିବା ସହ ଏହ ସଫଳ ହେଲେ ପରବର୍ତ୍ତି ପର୍ଯ୍ୟାୟରେ ଜିଲ୍ଲାର ଅନ୍ୟ ଅଙ୍ଗନବାଡୀ କେନ୍ଦ୍ରକୁ ଏହା ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ମତପ୍ରକାଶ ପାଇଛି । ଏହି ବୁଝାମଣା ଅନୁସାରେ ଓ୍ୱାର୍ଲଡ ଫିସ୍ ସଂସ୍ଥା 5 ବର୍ଷ ପର୍ଯ୍ୟନ୍ତ ବୈଷୟିକ ସହାୟତା ଯୋଗାଇ ଦେବ ।

ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ସମନ୍ୱୟ ରଖି ଚୁନା ମାଛ ଉତ୍ପାଦନ ଓ ଶୁଖିଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି ବୋଲି ମିଶନ ଶକ୍ତିର କମିସନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଥିଲେ । ଏବେ ଏହି କାର୍ଯ୍ୟକ୍ରମ ଏସଏଚଜି ମହିଳାମାନଙ୍କ ପାଇଁ ଅଧିକ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଓ୍ୱାର୍ଲ୍ଡ ଫିସର ମହାନିର୍ଦ୍ଦେଶକ ଡ. ଗରେଥ୍ ଜନଷ୍ଟୋନ ସଂସ୍ଥାର ବୈଷୟିକ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସଂସ୍ଥାର ବିଶେଷଜ୍ଞମାନେ ଆସନ୍ତା 6 ମାସ ମଧ୍ୟରେ ଏସଏଚଜି ମହିଳାମାନଙ୍କୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶରେ ସୌରଚାଳିତ ଯନ୍ତ୍ର ସାହାଯ୍ୟରେ କିପରି ମାଛ ଶୁଖାଇପାରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି । ଖୁବଶୀଘ୍ର ସାରା ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରାଯିବା ସହ ବୈଷୟିକ ଓ ଅର୍ଥନୈତିକ ବ୍ୟବହାରିକ ଜ୍ଞାନ ସଂସ୍ଥା ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଟିକି ମାଉସୀଙ୍କ ଦ୍ୱାରା ଚୁନା ମାଛ ଖାଇବାର ଉପାଦେୟତା ସମ୍ପର୍କରେ ଏକ ଆନିମେସନ ଭିଡିଓ ଉନ୍ମୋଚିତ ହୋଇଥିଲା ।












Click it and Unblock the Notifications