ଆରମ୍ଭ ହେଲା ମୋ କଲେଜ ଅଭିଯାନ: ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଦେଢକୋଟି ଟଙ୍କା ଅନୁଦାନ ପ୍ରଦାନ
ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 'ମୋ କଲେଜ' ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ବଣ୍ଟନ ଅରମହ କରିଛନ୍ତି । ପ୍ରଥମେ ରାଜ୍ୟର ପ୍ରମୁଖ 12ଟି ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜି ଏନେଇ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଟୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯାଇଛି। ଶିକ୍ଷାନୁଷ୍ଠାନ ପାଇଁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, 'ମୋ କଲେଜ'ର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ମୋ କଲେଜର ସଦସ୍ୟମାନେ ଉପସ୍ଥିତ ଥିଲେ।
'ମୋ କଲେଜ' କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ଦୁଇଟି ସୂତ୍ରରୁ ଅର୍ଥ ଗ୍ରହଣ କରାଯାଇଛି। ପୁରାତନ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ କିମ୍ବା କୌଣସି ଅନୁଷ୍ଠାନ ସୂତ୍ରରୁ ମିଳୁଥିବା ଦାନ, ଦାତାଙ୍କଠାରୁ ଆସିଥିବା ଦାନ ରାଶିର ଦୁଇ ଗୁଣ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବାର ନିୟମ ରହିଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ବଜେଟ୍ରେ ରାଜ୍ୟ ସରକାର ଏକ କର୍ପସ୍ ବା ସ୍ଥାୟୀ ପାଣ୍ଠି ସୃଷ୍ଟି କରିଛନ୍ତି। ଦାତାମାନଙ୍କଠାରୁ ଅର୍ଥ ମିଳିବା ପରେ ରାଜ୍ୟ ସରକାରଙ୍କ ଏହି ପାଣ୍ଠିରୁ ତା'ର ଦୁଇଗୁଣା ଅର୍ଥ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ତେବେ ଦାତାଙ୍କ ପକ୍ଷରୁ ଆର୍ଥିକ ଦାନ ବ୍ୟତୀତ କୌଣସି ସାମଗ୍ରୀ ବା ସେବା ଆକାରରେ ଆସୁଥିବା ଦାନ ବାବଦରେ ରାଜ୍ୟ ସରକାରଙ୍କୁ କିଛି ଦେବାକୁ ପଡ଼ିବ ନାହିଁ। 'ମୋ କଲେଜ' ଅଧୀନରେ ଦାତାଙ୍କଠାରୁ ଆସୁଥିବା ଦାନ ବାଧ୍ୟତାମୂଳକ ନୁହେଁ। ତେଣୁ ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜଣେ ଅର୍ଥ, ସାମଗ୍ରୀ, ସମୟ କିମ୍ବା ସେବା ପ୍ରଦାନ କରିପାରିବେ। 'ମୋ କଲେଜ' ଅଧୀନରେ ଆସୁଥିବା ଦାନ କେବଳ ଚେକ୍, ଡ୍ରାଫ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ଟ୍ରାନ୍ସଫର୍ ଜରିଆରେ ହିଁ ଗ୍ରହଣ କରାଯିବ। ଅଭିଯାନ ଅଧୀନରେ ସମସ୍ତ ଆର୍ଥିକ କାରବାରରେ ସ୍ୱଚ୍ଛତା ରକ୍ଷା ଲାଗି ବିଶେଷ ଶୃଙ୍ଖଳା ବା ପରିଚାଳନା ବ୍ୟବସ୍ଥା ହୋଇଛି। ଗୋଟିଏ ଆର୍ଥିକ ବର୍ଷରେ କୌଣସି ଏକ ଅନୁଷ୍ଠାନକୁ ୫୦ଲକ୍ଷ ପର୍ଯ୍ୟନ୍ତ ରାଶି ଓଡ଼ିଶା ସରକାରଙ୍କ ତରଫରୁ ପ୍ରଦାନ କରାଯାଇପାରିବ। ସରକାର ଚାହିଲେ ଏହି ନୀତିରେ କୋହଳ କରିପାରିବେ। ମୋ କଲେଜକୁ ଦେଇଥିବା ଆର୍ଥିକ ଅନୁଦାନ ଉପରେ ଦାତା ଆୟକର ଆଇନର ଧାରା ୮୦-ଜି ଅନୁଯାୟୀ କର ରିହାତି ପାଇପାରିବେ।












Click it and Unblock the Notifications