ଧାନକିଣା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଅଧିକ ସଂଖ୍ୟକ ସଂସ୍ଥା ମାଧ୍ୟମରେ ଧାନ କିଣିବା ପାଇଁ ପରାମର୍ଶ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଙ୍ଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷିବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାନବିକ୍ରୀ କରିବା ପାଇଁ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଏ ତା'ଉପରେ ଦୃଷ୍ଟି ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଓସ୍ୱାନ ପ୍ଲାଟ୍ଫର୍ମ ମାଧ୍ୟମରେ ଅନୁଷ୍ଠିତ ଏହି ଭିଡିଓ କନ୍-ଫେରେନ୍ସିଂରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭିନ୍ନ ଜିଲ୍ଲାରେ ଧାନସଂଗ୍ରହ ସମ୍ବନ୍ଧିତ ବୈଷୟିକ ଏବଂ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପି-ପାସ୍ ନାମକ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ହେଉଛି ଧାନ କିଣା
ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ କହିଥିଲେ ଯେ ଧାନକିଣା ପି-ପାସ୍ ନାମକ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି । ଏହା ଏକ ସ୍ୱୟଂକ୍ରିୟ ଓ ସରଳ ବ୍ୟବସ୍ଥା । ଏଥିରେ ଦୈନିକ ଧାନକିଣା ତଥ୍ୟ ଅପ୍ଲୋଡ୍ ହୁଏ ଏବଂ ସେହି ତଥ୍ୟ ଭିତ୍ତିରେ ଚାଷୀମାନଙ୍କୁ ଧାନର ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସିଧା ସଳଖ ପଠାଇ ଦିଆଯାଏ । ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରକ୍ରିୟା ବିଷୟରେ ତୁରନ୍ତ ଅନ୍ଲାଇନ୍ ତାଲିମ୍ ଦିଆଯିବ । ଜିଲ୍ଲାସ୍ତରରେ ଥିବା ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ଅଧିକାରୀମାନେ ମଧ୍ୟ ଏଥିରେ ସକ୍ରିୟଭାବେ ସାମିଲ୍ ହେବେ।












Click it and Unblock the Notifications