ଏଥର ସ୍କୁଲ ପିଲାଏ ପଡିବେ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ ଗାଥା
ପାଠ୍ୟପୁସ୍ତକରେ ସ୍ଥାନିତ ହେବ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ ଗାଥା । ସପ୍ତମରୁ ନବମ ଶ୍ରେଣୀ ଯାଏ ପଢ଼ାବହିରେ ସ୍ଥାନ ପାଇବ ମହାପୁରୁଷଙ୍କ ସ୍ମୃତି ।
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟପୁସ୍ତକରେ ସ୍ଥାନିତ ହେବ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ ଗାଥା । ସପ୍ତମରୁ ନବମ ଶ୍ରେଣୀ ଯାଏ ପଢ଼ାବହିରେ ସ୍ଥାନ ପାଇବ ମହାପୁରୁଷଙ୍କ ସ୍ମୃତି । ଏଥିପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତଙ୍କୁ ନେଇ ଗଠନ ହେବ କମିଟି । ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗାଁରେ ପରିଣତ କରାଯିବ । ସେମାନଙ୍କ ଜନ୍ମ ଓ ତିରୋଧାନ ଦିବସକୁ ସମ୍ମାନର ସହ ପାଳନ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ ଓ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପୀଢ଼ୀ ନିକଟରେ ଚିରସ୍ମରଣୀୟ ରଖିବା ପାଇଁ ସେମାନଙ୍କର ଜନ୍ମସ୍ଥାନକୁ ଆଦର୍ଶ ଗାଁରେ ପରିଣତ କରାଯିବା ସହିତ ସେମାନଙ୍କର ଜନ୍ମ ଓ ତିରୋଧାନ ଦିବସଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯିବ। ଏହା ସେହି ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ। ପାଇକ ବିଦ୍ରୋହଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାର ନବନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟପୁସ୍ତକରେ ଉପସ୍ଥିତ ଭାବେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସେପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ବି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି । ରାଜ୍ୟ ବ୍ୟାପୀ ପାଳନ ହେବ ଗାନ୍ଧି ଆଗମନର ଶତବାର୍ଷିକୀ । ୨୦୨୧ ମାର୍ଚ ୨୩ରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ୧୯୨୧ ମାର୍ଚ ୨୩ରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧି । ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ ଗାନ୍ଧିଜୀ ।
କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷେ ବ୍ୟାପୀ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ ହେବ । ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି 'ଅହିଂସା' ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହ ଯୁବପିଢ଼ିଙ୍କୁ ମହାତ୍ମାଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ ।












Click it and Unblock the Notifications