ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡି ହେଲା ଗଞ୍ଜାମ, ମୁଖ୍ୟମନ୍ତ୍ରୀ ବାଣ୍ଟିଲେ BSKY କାର୍ଡ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି।
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍ଥ କାର୍ଡ ଘୋଷଣା କରିଥିଲେ । ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନଗିରିରେ ପ୍ରଥମ କରି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା । ଏ ଦିଗରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ smart health card ରାଜ୍ୟ ବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ । ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ଗଞ୍ଜାମ ରେ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସେଠାରେ ମନ୍ଦିର ବିକାଶ କାମର ସମୀକ୍ଷା କରି ୨୦୨୩ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ । ତାରାତରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ହିଞିଳି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କ କାମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଶହେ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ ।
5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠର smart class room ଓ library ମୁଖ୍ୟମନ୍ତ୍ରୀ ବୁଲି ଦେଖି ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ । ହିଞିଳିରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଗଞ୍ଜାମ ଦର୍ଶନ ବସର ଶୁଭଯାତ୍ରା ଆରମ୍ଭ କରିଥିଲେ ।












Click it and Unblock the Notifications