Get Updates
Get notified of breaking news, exclusive insights, and must-see stories!

ବାତ୍ୟା କ୍ଷୟକ୍ଷତି ରିପୋର୍ଟ: ୬୧୦ କୋଟି ଟଙ୍କାର ସମ୍ପତ୍ତି ଉଜାଡି ଦେଇଛି 'ୟାସ୍'

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତି ମିଶାଇ ୬୧୦ କୋଟି କ୍ଷତି ହୋଇଥିବା ବୈଠକେ ସୂଚନା ଦିଆଯାଇଛି ।

ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତି ମିଶାଇ ୬୧୦ କୋଟି କ୍ଷତି ହୋଇଥିବା ବୈଠକେ ସୂଚନା ଦିଆଯାଇଛି । ସେହିପରି ବାତ୍ୟାରେ ୧୧ ହଜାର ଗାଁର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

Cyclone Yaas

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଛନ୍ତି । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଛନ୍ତି, ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ।

କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି, ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକ ମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଛନ୍ତି।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବାତ୍ୟା ୟାସ୍ ପାଇଁ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି । ୨୩୦ ଟି ଟ୍ରାନ୍ସଫରମର ଆଜି ସୁଦ୍ଧା ବଦଳାଯାଇ ନୂଆ ଟ୍ରାନ୍ସଫରମର ଲଗାଯିବାର ଯୋଜନା ରହିଛି ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।

Cm Naveen

ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୂତୟନ କରାଯାଇଥିଲା। ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମେ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସ୍ୟକୁ ବିଶୋଧନ କରାଯାଇଥିଲା। ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ସେହିପରି ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସଡକ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା। ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।

ବାତ୍ୟା ପରିଚାଳନା ସଂପର୍କିତ ପଦକ୍ଷେପକୁ ଡକୁମେଣ୍ଟେସନ୍‌ କର: ମୁଖ୍ୟମନ୍ତ୍ରୀ

ବାତ୍ୟା ପରିଚାଳନା ସଂପର୍କିତ ପଦକ୍ଷେପକୁ ଡକୁମେଣ୍ଟେସନ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ଲ୍ୟାଣ୍ଡ ଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+