ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ମେ ପହିଲାରୁ 18 ରୁ 45 ବର୍ଷ ବର୍ଗଙ୍କୁ ମାଗଣା କରୋନା ଟିକା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ବଡ ଘୋଷଣା । ମେ ପହିଲାରୁ ରାଜ୍ୟରେ 18ରୁ 45 ବର୍ଷ ବର୍ଗଙ୍କୁ ମିଳିବ ମାଗଣା କରୋନା ଟିକା ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ବଡ ଘୋଷଣା । ମେ ପହିଲାରୁ ରାଜ୍ୟରେ 18ରୁ 45 ବର୍ଷ ବର୍ଗଙ୍କୁ ମିଳିବ ମାଗଣା କରୋନା ଟିକା । ଦୁଇ କୋଟି ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ଖର୍ଚ୍ଚ ହେବ ୨ହଜାର କୋଟି ଟଙ୍କା । ଏନେଇ ଆଜି ଭିଡିଓ କନଫରେନ୍ସିଂ ବାର୍ତ୍ତା ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଟିକା ପାଇଁ ମୋ ରାଜ୍ୟବାସାଙ୍କୁ ଗୋଟିଏ ବି ପଇସା ଦେବାକୁ ପଡିବ ନାହିଁ ।
ସୂଚନାଯୋଗ୍ଯ ଯେ, ମେ' ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି । କୋଭିସିଲ୍ଡ ଓ କୋଭାକ୍ସିନ୍ ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରି କିଣିବେ । ସେହିଭଳି ରାଜ୍ୟ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବ । ଘରୋଇ ହସ୍ପିଟାଲ୍ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୭୦୦ ଟଙ୍କାରେ କିଣିବାକୁ ପଡ଼ିବ ।

ଗୋଟିଏ ବି ପଇସା ଦେବାକୁ ପଡିବା ନାହିଁ
ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରିକୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ମୁଁ ଚାହେଁ ମୋ ପରିବାର ନିରାପଦରେ ରହୁ । ମୋ ପରିବାରର ପ୍ରତିଟି ଜୀବନ ମୋ ପାଇଁ ମୁଲ୍ୟବାନ । ଗତକାଲି ରାଜ୍ୟସରକାର 18ରୁ 45 ବର୍ଷ ବର୍ଗର ସମସ୍ତଙ୍କୁ ଟିକା ଦେବା ପାଇଁ କେନ୍ଦ୍ରକୁ ଟିକା ଅର୍ଡର କରାଯାଇଛି । ଏଥିପାଇଁ ଆପଣମାନଙ୍କୁ ଗୋଟିଏ ବି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି । ଯଦି ଆମେ ନିଜେ ସତର୍କ ନହେବା, ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଲୁହକୁ ରୋକି ପାରୁ ନାହିଁ: ମୁଖ୍ୟମନ୍ତ୍ରୀ
ଶଶ୍ମାନ ଘାଟରେ ମଧ୍ୟରେ ଶବ ଦାହ ପାଇଁ ସ୍ଥାନ ମିଳିପାରୁ ନାହିଁ । ଏହି ସବୁ ଦୃଶ୍ୟ ଦେଖି ମୁଁ ମୋ ଲୁହକୁ ରୋକି ପାରି ନାହିଁ । ଏଭଳି ଭୟାବହ ପରିସ୍ଥିତି ଭାରତ ଇତିହାସରେ କେବେ ଆସି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି, ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ଗୋଟିଏ ପରିବାରର ଦୁଃଖଭରା କାହାଣୀ। କିଏ ନିଜ ବାପାମା'ଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ ହରାଇଛି। ଏପରିକି କେଉଁଠି ଜଣେ ନବବିବାହିତା ସ୍ତ୍ରୀ ତା'ର ସ୍ୱାମୀକୁ ହରାଇଛି ଯେ କେଉଁଠି ବୁଢ଼ା ବାପାମା' ଆଗରେ ରୋଜଗାରିଆ ପୁଅ ଚାଲି ଯାଉଛି। କେଉଁଠି ଛୋଟ ଛୋଟ ପିଲା ଅନାଥ ମଧ୍ୟ ହେଉଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ କୋଭିଡ୍ ନିୟମକୁ ମାନନ୍ତୁ।
ଲକଡାଉନ କି ସଟଡାଉନ ମୁଁ ଚାହୁଁନି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଲକ୍ଡାଉନ୍ କି ସଟଡାଉନ୍ ସପକ୍ଷରେ ନାହିଁ। ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ତେଣୁ ଅର୍ଥନୀତି ସହ ଆମ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ। ଯଦି ଆମେ ନିୟମ ମାନିବା ଏବଂ ସାବଧାନ ରହିବା, ତାହେଲେ ବିନା ଲକଡାଉନରେ କୋଭିଡ୍ ଯୁଦ୍ଧ ଜିତିପାରିବା। ସାଢ଼େ ୪କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ମୁଁ ଚାହେଁ ମୋ ପରିବାର ନିରାପଦ ରହୁ। କାରଣ ମୋ ପରିବାରର ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications