ଆଦିମ ଜନଜାତି ପରିବାରକୁ କୋଭିଡ ସହାୟତା, ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ 'ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ' ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ଯାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ଯାଣ ପାଇଁ ସରକାର କାମ କରୁଛି ।"
ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ ଟି PVTG ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । pvtg ଜନଜାତିଙ୍କ ମଧ୍ୟରୁ 314 ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡିଛି । PVTG ଗାଁ ମାନଙ୍କରେ18 ଟିambulanceସହିତ କୋଭିଡ ପରିଚାଳନା କୁ ତ୍ୱରାନ୍ୱିତ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, "ମୁଁ ବହୁତ ଖୁସି ଯେ ଆଜି ଆପଣଙ୍କ ବ୍ଯାଙ୍କ ଖାତାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ୫୦୦୦ ଟଙ୍କା ଜମା କରାଗଲା । ରାଜ୍ୟର ସବୁ PVTG ଜନଜାତି ଗାଁ ର ସବୁ ପରିବାର ଏହି ସହାୟତା ପାଇବେ । ଆମର PVTG ଜନଜାତି ଭାଇ ଭଉଣୀଙ୍କ ମଧ୍ୟରୁ ୩୦୦ ରୁ ଅଧିକ ଲୋକ କାରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର Ration Kit ଦିଆଯାଇଥିଲା । ତା ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଅଯାଇଥିଲା ।"
ଆଜି ମଧ୍ୟ ୬୦,୦୦୦ SC& ST ଛାତ୍ର ଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦିଆଗଲା । ଏହା ପିଲାଙ୍କ ବାପା ମା ' ଙ୍କ ବ୍ଯାଙ୍କ ଖାତାରେ ଜମା ହେଲା । ଝିଅ ମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଗଲା । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ । ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । କୋଭିଡ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ଵ ଯୋଗୁଁ ରାଜ୍ୟର ଛବି ଉଜ୍ଜ୍ଵଳ ହୋଇଛି ବୋଲି ସେ କହିଥିଲେ । ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଦ୍ଵାରା ଜନଜାତି ସମୁଦାୟଙ୍କ ଆର୍ଥିକ, ସାମାଜିକ ବିକାଶ ହେବା ସହିତ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ । ଚିତ୍ରକୋଣ୍ଡା ଓ କରଞ୍ଜିଆର ବିଧାୟକ ମଧ୍ୟ ଉପସ୍ଥିତ ରହି ସେମାନଙ୍କର ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ PVTG ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟୀକା ନେଇଛନ୍ତି କି ନାହିଁ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଟୀକା ନେଇଛନ୍ତି ବୋଲି କହିଥିଲେ ।
ସେହିପରି ଛାତ୍ରବୃତ୍ତି ପାଇଥିବା ସମ୍ବଲପୁରର ଜ୍ଯୋତି ସିଂ, ବିଦୂସ୍ମିତା ମୁଣ୍ଡା ଓ ମୟୂରଭଞ୍ଜର ସୋନାଲି ସୋରେନ ଓ ପାର୍ବତୀ ସୋରେନ ପ୍ରମୁଖ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ।












Click it and Unblock the Notifications