ଦିଗପହଣ୍ଡିରେ କଟନ୍ ଜିନିଙ୍ଗ୍ ଓ ପ୍ରେସିଙ୍ଗ୍ ମିଲ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ କଟନ୍ ସ୍ପିନିଙ୍ଗ୍ ଓ ପ୍ରେସିଙ୍ଗ୍ ମିଲ୍ ଉଦଘାଟନ କରିଛନ୍ତି।
ଭୁବନେଶ୍ୱର: ଆଜି ଦିଗପହଣ୍ଡି ଠାରେ ଏକ କଟନ୍ ସ୍ପିନିଙ୍ଗ୍ ଓ ପ୍ରେସିଙ୍ଗ୍ ମିଲ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ଛୋଟ ଛୋଟ ସହରର ବିକାଶ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛୋଟ ଛୋଟ ଟାଉନ୍ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ। ରାସ୍ତାଘାଟ, ଡ୍ରେନେଜ୍ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ବ ଦେଉଛୁ। ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି। ଆଜି ବସ୍ ଟର୍ମିନାଲ ମଧ୍ୟ ଉଦ୍ଘାଟିତ ହେଲ। ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ତୁଳା ଜିନିଙ୍ଗ ମିଲ୍ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ ପାଇଁ ପ୍ରେରଣା ଦେବ। ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ।
ରାଜ୍ୟର କ୍ରିଡା ଭିତ୍ତିଭୂମି ଉପରେ ଆଲୋକପାତ କରି ସେ କହିଲେ ଯେ ନିକଟରେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି। ଏଥିରେ ସାରା ରାଜ୍ୟରେ ୮୯ଟି ବହୁମୂଖୀ ଷ୍ଟାଡିୟମ ନିର୍ମାଣ କରାଯିବ। କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ। ଦିଗପହଣ୍ଡିରେ ମଧ୍ୟ ଗୋଟିଏ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଥିଲେ। ଏହା ଆମର ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ବିକଶିତ କରିବାରେ ବିଶେଷ ସହାୟକ ହେବ।
ରାଜ୍ୟର କ୍ରୀଡା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍ରେ ମେଡାଲ ଜିତିପାରିଛି। ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍ରେ ଅଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ 'ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି। ମୋର ପୁରା ବିଶ୍ବାସ, ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି, ଆମ ଓଡିଶା ପାଇଁ, ସାରା ଦେଶ ପାଇଁ,ସୁନାମ ଆଣିବେ।'
ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ବିଣ୍ଟାଲ ତୁଳା ଅମଳ ହେଉଛି । କଟନ ଜିନିଙ୍ଗ ମିଲ ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ।
ସେହିପରି ବସ୍ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍ ଚଳାଚଳ ହୋଇପାରିବ ଏବଂ ଏହାଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ବୋଲି ଜଣାଯାଇଛି।












Click it and Unblock the Notifications