୭ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ Liquid Medical Oxygen ସଂପକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ Liquid Medical Oxygen ସଂପକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯାଇପାରିବ।

ଆଜି ଭିତ୍ତିପ୍ରସ୍ତର ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା - ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଅକ୍ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ; ପାଲଲହଡା ଉପଖଣ୍ଡ ହସ୍ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍ ୱାର୍ଡ, ଓ ତା ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ମାନଙ୍କୁ ପୁଣିଥରେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରୁ ଆମେ ଯେଉଁ ଅଭିଜ୍ଞତା ପାଇଛୁ, ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ। ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ତାହାଦ୍ବାରା କୋଭିଡ ବିରୁଦ୍ଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications