ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପୁରୀଠାରେ ଉଦଘାଟିତ ହେଲା ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ।
ପୁରୀ: ପୁରୀଠାରେ ଉଦଘାଟିତ ହେଲା ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆସି ମେଡିକାଲ କଲେଜ କ୍ୟାମ୍ପସରେ ଅବତରଣ କରିଥିଲେ । କଲେଜ ପରିସରରେ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ପୁରୀରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଦିଗରେ ସହାୟକ ହେବ ବୋଲି କହିଥିଲେ ।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଭର୍ଚ୍ଚୁଆଲରେ ରହିଥିଲେ । ଏହାସହ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ ।
ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ୨୦୨୧-୨୦୨୨ ବର୍ଷ ପାଇଁ ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୩୦ ଜଣ ଛାତ୍ରୀଙ୍କ ସହ ୭୦ ଜଣ ଛାତ୍ର ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟା ଛାତ୍ରମାନଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି । ବର୍ତ୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲୁଥିବା ବେଳେ ଆଗକୁ ୬୫୦ ବେଡ଼ ବିଶିଷ୍ଟ ନିଜସ୍ବ ଡାକ୍ତରଖାନାରେ ଚାଲିବା ନେଇ ନିର୍ମାଣ ଆରମ୍ଭ ହୋଇଛି ।












Click it and Unblock the Notifications