୪୫୦ କୋଟି ଟଙ୍କାର ୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି।
ଭୁବନେଶ୍ୱର: ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ ।
ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ।












Click it and Unblock the Notifications