ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କାର ସହାୟତା
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି । ଘର ମରାମତି ପାଇଁ ସହାୟତା ଦେବେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି । ଘର ମରାମତି ପାଇଁ ସହାୟତା ଦେବେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ ।

ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି ଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଘର ହେଉଛି ଗୋଟିଏ ପରିବାରର ପରିଚୟ । ଭଲ ଘରଟିଏ ସମସ୍ତଙ୍କ ସ୍ୱପ୍ନ । ଓଡ଼ିଶା ଉପରେ ସବୁବେଳେ ବାତ୍ୟା, ବନ୍ୟାର ଭୟ ରହୁଛି । ପ୍ରତିବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଛାତ ଥିଲା ବିଜୁବାବୁଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ୨୦୧୪ର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲୁ । ଏହି ଦିଗରେ ଭଲ କାମ ହୋଇଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ଯୋଗୁଁ ଗରିବ ଲୋକ ବହୁତ କଷ୍ଟରେ ଅଛନ୍ତି । ଏହି କଷ୍ଟକୁ ମୁଁ ଅନୁଭବ କରିପାରୁଛି । ବିଜୁ ପକ୍କା ଘର ପାଇଥିଲେ ମରାମତି ଖର୍ଚ୍ଚ ମିଳିବ ।
ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇ ଭଉଣୀ ମାନଙ୍କୁ ଘର ପାଇଁ ହଇରାଣ ହେବାକୁ ମୁଁ ଦେବି ନାହିଁ । ମୁଁ ଚାହେଁ ସମସ୍ତେ ସମ୍ମାନ ର ସହ ବଞନ୍ତୁ । ଆପଣମାନଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ଯଦି କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ । ରାଜ୍ୟ ସରକାର ଆପଣମାନଙ୍କ ସାଥିରେ ଅଛି । ଆପଣଙ୍କୁ ଘର ଦେବା ପାଇଁ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications