ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଉତ୍ପାଦନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ MS System ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି ।
ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଙ୍ଗ ଲାଙ୍ଗଲୋଟା ୭୯.୧୨ MT ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି ।
ସେହିପରି ୧୯୪.୯୪ MT ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି । ଓଡିଶା ଖଣି ନିଗମ ଦ୍ରୁତ ଅଭିବୃଦ୍ଧି କରୁଥିବା ଦେଶର ଏକ ଖଣି କମ୍ପାନୀ ଅଟେ । ଏହି ଦୁଇଟି ନୂଆ ଖଣି ପାଇବା ପରେ OMCର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍ରେ ପହଞ୍ଚିବ ବୋଲି ଆଶା କରାଯାଉଛି ।












Click it and Unblock the Notifications