ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।
ମୟୂରଭଞ୍ଜ: ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ଆରମ୍ଭ ହୋଇଛି ନୂଆ ଯୁଗ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଂଟ । ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ମୟୂରଭଞ୍ଜ ହେଉଛି କଳାର ଭୂମି । ଏଠାକୁ ଆସି ମୁଁ ବହୁତ ଖୁସି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି । ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି । ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲି ନବୀନ କହିଛନ୍ତି ।
ଜିଲ୍ଲାର ୬ଲକ୍ଷ ୧୨ ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବ । ଏହା ମଧ୍ୟାମରେ ୨୧ ଲକ୍ଷ ୩୮ ହଜାର ୯୪୧ ହିତାଧିକାରୀ ସାମିଲ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଡ ବଂଟନ ପ୍ରକ୍ରିୟା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହା ସହ ଜିଲ୍ଲାର ଚାରିଟି ଉପଖଣ୍ଡ ବାରିପଦା, କପ୍ତିପଦା, ପାଂଚପିଢ଼ି, ବମାନଘାଟି ସମେତ ୨୬ଟି ବ୍ଲକ ପାଇଁ ୨ ହଜାର ୪ ଶହ ୮୪ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟ ଜଳ ପାଇଁ ୭୦ କୋଟି, ଚାଷୀଙ୍କୁ ଜଳଯୋଗାଣ ପାଇଁ ୫୬ କୋଟିରୁ ଅଧିକ, ସ୍ବାସ୍ଥ୍ୟ ସେବା ପାଇଁ ୧୩କୋଟି ୭୮ ଲକ୍ଷ, ଗମନାଗମନ ପାଇଁ ୯୮କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ରହିଛି । ସେହିପରି ନୂତନ ପ୍ରକଳ୍ପ ମଧ୍ୟରେ ଜଳ ଯୋଗାଣ ନିମନ୍ତେ ସର୍ବାଧିକ ୨୦୫୫ କୋଟି ୩୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ସ୍ବାସ୍ଥ୍ୟସେବା ପାଇଁ ୨୪ କୋଟି, ରାସ୍ତା ଘାଟ ପାଇଁ ୨୩କୋଟି ୩୧ ଲକ୍ଷ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପାଇଁ ୧୬କୋଟି ୯୪ ଲକ୍ଷର ଯୋଜନା ରହିଛି ।












Click it and Unblock the Notifications