Get Updates
Get notified of breaking news, exclusive insights, and must-see stories!

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

BSKY Smart Health Card

ଏହି ଅବସରରେ ବାଲେଶ୍ବର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । ବାଲେଶ୍ବରର ୬ଟି ବ୍ଲକ୍‌ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ବାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ମାଛ ଉତ୍ପାଦନରେ ବାଲେଶ୍ବର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାର ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ ବସ୍ତା ଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ Whosesale Fish Market କରାଯିବ। ଏହାଦ୍ବାରା ବାଲେଶ୍ବର ସହିତ କେନ୍ଦ୍ରାପଡା ଓ ଜଗତସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇବେ । ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କୁ ଆଉ ଦିଘା ମାଛ ମାର୍କେଟ ଉପରେ ନିର୍ଭର ହେବାକୁ ପଡିବ ନାହିଁ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ । ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ବରରେ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନ, ପାନ, ମୀନ ପାଇଁ ବାଲେଶ୍ବର ଜଣାଶୁଣା। ବାଲେଶ୍ବରରେ ୬୦୦ ମିଶନ ଶକ୍ତିର ମା ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହାସହିତ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ସେମାନେ ସହଭାଗୀ ହୋଇଛନ୍ତି ଏବଂ ସେମାନଙ୍କୁ ଅଧିକ କାମ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ ବିଲ୍‌ଡିଂର ଭିତ୍ତି ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ବାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ।

ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+