5-Tରେ ଯୋଡ଼ି ହେଲା 5ଟି ସେବା: 'ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ'
ଆଜି 5-T ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି 5-T ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।
ସେହି ୫ ଗୋଟି ସେବା ଗୁଡ଼ିକ ହେଲା-
- (୧) ଇ-କଳିକା
- (୨) ମୋ ଛତୁଆ ଆପ୍
- (୩) ଇ-ମାନଦେୟ ପୋର୍ଟାଲ
- (୪) ମମତା ଆପ୍
- (୫) ମୋ ଶିଶୁ ପୋର୍ଟାଲ

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଇ-କଳିକା ଆପ ଜରିଆରେ କ୍ରେଚ୍ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ତଦାରଖ କରାଯାଇପାରିବ । ଏଥିରେ ମା ମାନଙ୍କୁ ଶିଶୁ ମାନଙ୍କ ଯତ୍ନ, ତତ୍ ସମ୍ବନ୍ଧୀୟ ତଥ୍ୟ, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର
ରଖାଯାଇପାରିବ । ମୋ-ଛତୁଆ ଆପ୍ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରିଦର୍ଶି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ମାନଙ୍କୁ ମାନଦେୟ / ପ୍ରୋତ୍ସାହନ ପାଇଁ ଇ-ମାନଦେୟ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଅଛି । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ । ରାଜ୍ୟ ସରକାରଙ୍କର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ମମତାକୁ ଆହୁରି ଲୋକାଭିମୁଖୀ ଓ ସେବା କୈନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍ ଖୋଲାଯାଇଛି । ଏଥିରେ ଘରେ ବସି ମା ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ ଏବଂ ଅଭିଯୋଗ ପାଇଁ ୧୮୧ ହେଲ୍ପଲାଇନକୁ ମଧ୍ୟ ବ୍ୟବହାର କରିପାରିବେ ।
ସେହିପରି ମୋ ଶିଶୁ ପୋର୍ଟାଲ ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ କରିବା ପାଇଁ ଏକ ସରଳ ବ୍ୟବସ୍ଥା । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ ମଧ୍ୟ ଅନଲାଇନରେ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କାର୍ଯ୍ୟକାରୀ କରିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିଭାଗରେ ୫-ଟି କାର୍ଯ୍ୟକ୍ରମ ସମ୍ପର୍କିତ ଏକ
ପୁସ୍ତିକ ଉନ୍ମୋଚନ କରିଥିଲେ ।












Click it and Unblock the Notifications