ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ବାରଣ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି।
ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କୁଲକୁ ପ୍ରବେଶ କରୁଛନ୍ତି । ଯାହାକୁ ନେଇ ବିଇଓମାନେ ଚିଠି ଜାରି କରୁଥିବା ତାଙ୍କ ନଜରକୁ ଆସୁଛି ।

ଏହା ସହ ମନ୍ତ୍ରୀ କହିଛନ୍ତି, ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ବାଦ୍ ଅନେକ ୱେବ ଚ୍ୟାନେଲ ଅଛନ୍ତି । ଏମାନେ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠ ପଢାରେ ହସ୍ତକ୍ଷେପ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକଙ୍କୁ ହଇରାଣ କରିବା ଅନୁଚିତ । ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି। ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା ନୁହେଁ, ବିଭାଗର ଦୋଷ ଦୁର୍ବଳତା ମଧ୍ୟ ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି ପଦକ୍ଷେପ ନେଉଛନ୍ତି । ସାମ୍ବାଦିକଙ୍କ ଉପରେ ଏଭଳି ରୋକ୍ ଲଗାଇବା ଠିକ୍ ନୁହେଁ ବୋଲି ସୁର ରାଉତରାୟ କହିଛନ୍ତି ।
ସୂଚନାଥାଉ କି, ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସ ଭିତରେ ପଶି ଗଣମାଧ୍ୟମ ପ୍ରତିନିଧି ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀ ଏନେଇ ବ୍ଳକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ।
ଏହି ନିର୍ଦ୍ଦେଶନାମାକୁ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । କିଛି ଦିନ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନେ ଢେଙ୍କାନାଳ ଜିଲ୍ଲା ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ପାଠପଢା ନେଇ ପ୍ରଶ୍ନ ପଚାରିଥିଲେ । ଛାତ୍ରଛାତ୍ରୀମାନେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିବାବେଳେ ଶିକ୍ଷକମାନେ ସାଧାରଣ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇପାରିନଥିଲେ ।












Click it and Unblock the Notifications