ଏଣିକି ସରକାରୀ ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ
ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲାଯିବ ଏକାଦଶ ଶ୍ରେଣୀ । ଏଥିରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ବିଦ୍ୟାଳୟ ଗୁଡିକରେ ଦୁଇଟି ଲେଖାଏଁ ସେକ୍ସନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଲେଖାଏଁ ମୋଟ୍ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।
ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ। ସମ୍ପ୍ରତି ପ୍ରଧାନ ଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।

ଅନୁଗୁଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ ୨ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ ୮ ଟି, ଦେଓଗଡ଼ରେ ୪ଟି, ବୌଦ୍ଧରେ ୨ଟି, କଟକରେ ୨ଟି, ଢ଼େଙ୍କାନାଳରେ ଗୋଟିଏ , ଗଜପତିରେ ୨ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ ୮ ଟି, କନ୍ଧମାଳରେ ୪ଟି ବିଦ୍ୟାଳୟରେ କଳାବିଭାଗ ରହିବ ।
ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ରେକର୍ଡ ସଂଖକ ପିଲା ପାସ୍ କରିଥିବାରୁ ଅନେକ ଜିଲ୍ଲାରେ ସିଟ୍ ଅଭାବ ନେଇ ସରକାର ଚିନ୍ତାରେ ପଡ଼ିଥିଲେ। ଆବଶ୍ୟକ ପଡିଲେ କିଛି ଜିଲ୍ଲାରେ ସିଟ୍ ସଂଖ୍ୟା ବଢାଯାଇପାରେ ବୋଲି ପୂର୍ବରୁ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଳିକ ସୂଚନା ଦେଇଥିଲେ।
ସୂଚନାନୁସାରେ,ଚଳିତ ମାସ ୨୯ ତାରିଖରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ ହେବ I ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ ମାଧ୍ୟମରେ ସ୍ପଟ ଆଡମିଶନ୍ ହେବ। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ସିଟ୍ ପାଇବେ ଏବଂ ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ। ସ୍ପଟ୍ ଆଡମିଶନରେ କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ I












Click it and Unblock the Notifications