୨୯ ରୁ ମାଟ୍ରିକ ସମିଟିଭ ଆସେସମେଣ୍ଟ-୨ ପରୀକ୍ଷା: ଆଜିଠୁ ମିଳିଲା ଆଡମିଟ୍ କାର୍ଡ
ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମିଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏଥିପାଇଁ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି ।
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମିଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏଥିପାଇଁ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଡମିଟ୍ କାର୍ଡକୁ ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟକୁ ଯାଇ ଡାଉନଲୋଡ୍ କରିପାରିବେ।

ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ପରୀକ୍ଷା ଏପ୍ରିଲ ୨୯ରୁ ମେ' ୭ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ୨ଘଣ୍ଟା ଧରି ହେବ । କେବଳ ଗଣିତ ପରୀକ୍ଷା ୨ଘଣ୍ଟା ୧୫ମିନିଟର ହେବ । ଦୈନିକ ଗୋଟିଏ ଲେଖାଏଁ ସିଟିଂରେ ପରୀକ୍ଷା ହେବ । ପରୀକ୍ଷା ଆରମ୍ଭର ଅଧଘଣ୍ଟା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବେ । ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲେ ବୋର୍ଡ ଦ୍ୱାରା ଜାରି ଆଡମିଟ୍ କାର୍ଡ ଦେଖାଇବା ବାଧ୍ୟତାମୂଳକ । ଆଡମିଟ୍ କାର୍ଡରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିବା ଜରୁରୀ ।
ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବା ତାହା ଚୂଡ଼ାନ୍ତ ହେବ ବୋଲି ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଆସନ୍ତୁ ଜାଣିବା ଏହି ତିନୋଟି ମୂଲ୍ୟାୟନ ପଦ୍ଧତି ବିଷୟରେ...
ପ୍ରଥମ ମୂଲ୍ୟାୟନ ପଦ୍ଧତି
ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।
ଦ୍ବିତୀୟ ମୂଲ୍ୟାୟନ ପଦ୍ଧତି
ସମ୍ମେଟିଭ୍ ଆସେସମେଣ୍ଟ-୨ ଆଧାରରେ ହେବ ମୂଲ୍ୟାୟନ । ମୋଟ ମାର୍କର ମୂଲ୍ୟ ଦୁଇ ଗୁଣା ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ।
ତୃତୀୟ ମୂଲ୍ୟାୟନ ପଦ୍ଧତି
ତୃତୀୟ ମୂଲ୍ୟାୟନ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ । ପ୍ରଥମ ସମ୍ମେଟିଭ ପରୀକ୍ଷାରୁ ୩୦ ପ୍ରତିଶତ ମାର୍କ ଏବଂ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷାରୁ ୫୦ ପ୍ରତିଶତ ମାର୍କ ମିଶି ପରୀକ୍ଷା ଫଳ ପ୍ରକାଶ ପାଇବ ।
ସେହିପରି ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦୁଇଟି ସିଟିଂରେ ୩ଦିନ ଧରି ହେବ । ପ୍ରଥମ ସିଟିଂ ସକାଳ ୮ଟାରୁ ୧୦ଟା ଓ ଦ୍ୱିତୀୟ ସିଟିଂ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ହେବ ।
ବୋର୍ଡ ସଭାପତି ରାମାସିସ୍ ହଜାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସମିଟିଭ ଆସେସମେଣ୍ଟ-୨ ପରୀକ୍ଷା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ୩ ପ୍ରକାରର ମୂଲ୍ୟାଙ୍କନ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯେଉଁ ମୂଲ୍ୟାୟରେ ପିଲାମାନେ ସର୍ବାଧିକ ମାର୍କ ରଖିଥିବେ ତାକୁ ବିଚାରକୁ ନିଆଯିବ ।












Click it and Unblock the Notifications